ହାତରେ ଆଉ ଗୋଟିଏ ଦିନ, ପ୍ରଚାର ମଇଦାନରେ ପ୍ରାର୍ଥୀ । ଖଣ୍ଡପଡାରେ ରୋଡ୍ ସୋ’ କରି ଭୋଟ୍ ମାଗିଲେ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ । 

150

କନକ ବ୍ୟୁରୋ : ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟିଲୋରେ ଶନିବାର ସନ୍ଧ୍ୟାରେ ବିଜୁ ଜନତା ଦଳ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏକ ବିଶାଳ ରାଲିରେ ଯାଇ  ନିର୍ବାଚନ ପ୍ରଚାର କରିଛନ୍ତି । ଏହି ରାଲିରେ ହଜାର ହଜାର ସମର୍ଥକ, ପ୍ରଶଂସକ ଓ ବିଜେଡି କର୍ମୀ ଯୋଗଦେଇଛନ୍ତି । କଣ୍ଟିଲୋରେ  ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନଙ୍କ ରାଲିକୁ ବିପୁଳ ସମର୍ଥନ ମିଳିବା ଦେଖାଯାଇଛି । ରାଲି ଦେଖିବାକୁ ବହୁ ସଂଖ୍ୟାରେ ସ୍ଥାନୀୟ ମହିଳା ଓ ଯୁବକ  ଘରୁ ବାହାରି ଆସିଥିଲେ । ରାଲି ଚାଲିଥିବା ସମୟରେ ରାସ୍ତାରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଏକ ଖୋଲା ଜିପରେ ବିଶାଳ ରାଲିରେ  ସୌମ୍ୟରଂଜନ ପଟ୍ଟନାୟକ କଣ୍ଟିଲୋର ପ୍ରସିଦ୍ଧ  ନୀଳମାଧବ ମନ୍ଦିର ପହଞ୍ଚିଥିଲେ । ସେଠାରେ ଶ୍ରୀ ପଟ୍ଟନାୟକଙ୍କୁ ନଗରବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଭଗବାନ ନୀଳମାଧବଙ୍କୁ ଦର୍ଶନ କରିବା ପରେ ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଏଥିସହ ସେ କଣ୍ଟିଲୋର ଅଭାବ-ଅସୁବିଧା ସଂପର୍କରେ ଅବଗତ ହୋଇଥିଲେ ।

ସକାଳେ ଶ୍ରୀ  ପଟ୍ଟନାୟକ ବେଣାଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ପ୍ରଚାର କରିଥିଲେ । ସମ୍ପୃକ୍ତ ଗ୍ରାମବାସୀମାନେ ଶ୍ରୀ ପଟ୍ଟନାୟକଙ୍କୁ ବିପୁଳ ସ୍ୱାଗତ ଜଣାଇଥିଲେ । ପ୍ରଚାର ସମୟରେ ପ୍ରବଳ ଜନସମାଗମ ହେବା ସହ ଦଳୀୟ କର୍ମୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା ।