କନକ ବ୍ୟୁରୋ: କଂଗ୍ରେସ ଦଳର ଶୀର୍ଷସ୍ତରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କସରତ ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ଓ ତା ଅନ୍ତର୍ଗତ ବିଧାନସଭା ଆସନରେ କାହାକୁ ପ୍ରାର୍ଥୀ କରାଯିବ, ତାହା ଉପରେ ଆଲୋଚନା ଆରମ୍ଭ ହେବ। ଏଥିପାଇଁ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ନବୀନ ନିବାସ ଡାକରା ହୋଇଥିବା ସୂଚନା ମିଳିଛି।
ସନ୍ଧ୍ୟା ୬ଟାରେ ହେବାକୁ ଥିବା ଏହି ବୈଠକରେ ନିଜେ ନବୀନ ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚନା କରିବେ ଓ ଏହା ପରେ ୪ ଲୋକସଭା ଆସନ ଓ ୨୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକାରେ ଚୂଡାନ୍ତ ମୋହର ବାଜିବ। ୧୬ ତାରିଖ ପରେ ଯେକୌଣସି ମୁହୂର୍ତରେ ନବୀନ ପ୍ରାର୍ଥୀ ତାଲିକା ଘୋଷଣା କରିବେ। ଏହା ପରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ଆରମ୍ଭ କରାଯିବ। ଆସନ୍ତା ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି।
କେବଳ ସେତିକି ନୁହେଁ, ଯେଉଁ ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ଆଶା କରୁଛି, ସେମାନଙ୍କର ତାଲିକା ଇତିମଧ୍ୟରେ ବିଜେଡି ଚୂଡାନ୍ତ କରିଛି। ବିଧିବଦ୍ଧ ଭାବେ ସେମାନଙ୍କ ନାମ ଘୋଷଣା କରାଯିବ ନାହିଁ। କିନ୍ତୁ ୧୫ ତାରିଖ ପରେ ଏହି ନେତାମାନଙ୍କୁ ନିଜେ ନବୀନ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି ଫୋନ ଯୋଗେ ସୂଚନା ଦେବେ। ଏହି ତାଲିକାରେ ପାଖାପାଖି ୪୦ ଜଣ ନେତାଙ୍କ ନାମ ରହିଥିବା ସୂଚନା ମିଳିଛି। ଆଉ କିଛି ଆସନ ଉପରେ ଶେଷ ମୁହୂର୍ତରେ ନେତୃତ୍ବ କସରତ କରିବେ।
ସନ୍ଧ୍ୟାରେ ୪ ପର୍ଯ୍ୟବେକ୍ଷକଙ୍କ ସହିତ ବୈଠକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭାକୁ ୩୩% ମହିଳା ପ୍ରାର୍ଥୀ ପଠାଇବା ନେଇ ସୂଚନା ଦେବା ପରେ ରାଜ୍ୟ ରାଜନୀତିରେ କିଛି ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ନିର୍ଦିଷ୍ଟ କେଉଁ ସାତଟି ଆସନରେ ବିଜେଡି ମହିଳା ପ୍ରାର୍ଥୀ ଦେବ, ତାହା କେହି ଠଉରାଇ ପାରୁନାହାନ୍ତି। ବିଜେଡିର ଶୀର୍ଷସ୍ତରରେ କିନ୍ତୁ ଏ ନେଇ ଚୂଡାନ୍ତ କସରତ ଚାଲିଛି। ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଅର୍ଥ ବିଭାଗର ଉପଶାସନ ସଚିବ ଶର୍ମିଷ୍ଠା ସେଠୀ ସ୍ବେଚ୍ଛାକୃତ ଅବସର ପାଇଁ ଗତ ୬ତାରିଖରେ ଆବେଦନ କରିଥିଲେ। ରାଜ୍ୟ ସରକାର ତାଙ୍କର ଆବେଦନକୁ ୮ ତାରିଖରେ ମଞ୍ଜୁର କରିଛନ୍ତି। ଶ୍ରୀମତୀ ସେଠୀଙ୍କୁ ବିଜେଡି ଯାଜପୁର ସଂରକ୍ଷିତ ଲୋକସଭା ଆସନରୁ ପ୍ରାର୍ଥୀ କରିବ। ୨୦୧୪ରେ ବିଜେଡି ତାଙ୍କୁ ପ୍ରସ୍ତାବ ଦେଇଥିଲା, ସେ ଅମଙ୍ଗ ହୋଇଥିଲେ।କୋରାପୁଟ ଲୋକସଭା ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନିଜେ ଝିନ୍ନ ଏକଥା ସ୍ବୀକାର କରିଛନ୍ତି। ଶିକ୍ଷା ବିଭାଗରେ କାର୍ୟ୍ୟରତ କୌଶଲ୍ୟାଙ୍କୁ ଦଳ କୋରାପୁଟ ଆସନରେ ପ୍ରାର୍ଥୀ କରିବ ନା ବିଧାନସଭାକୁ ଆଣିବ ସେ ଚିତ୍ର ସ୍ପଷ୍ଟ ହୋଇନାହିଁ।
ମିଳୁଥିବା ଖବରଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳଙ୍କୁ ସୁନ୍ଦରଗଡ ଆସନରୁ ଲଢାଇପାରେ ଦଳ। ପୂର୍ବତନ ସାଂସଦ ଲତିକା ପ୍ରଧାନଙ୍କୁ ଆସ୍କାରେ, ଶ୍ରୀମୟୀ ମିଶ୍ର କିମ୍ବା ଟୁକୁନି ସାହୁଙ୍କୁ ବଲାଙ୍ଗୀରରେ, ସୁବାସିନୀ ଜେନାଙ୍କୁ ବାଲେଶ୍ବରରେ ପ୍ରାର୍ଥୀ କରାଯିବା ସମ୍ଭାବନା ଅଧିକ। ଜଗତସିଂହପୁରରୁ ମୀନତି ବେହେରା ଓ ରାଜଶ୍ରୀ ମଲ୍ଲିକଙ୍କ ନାମକୁ ନେଇ ବିଚାର ଚାଲିଛି। କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓଙ୍କ ପତ୍ନୀଙ୍କ ସଂପର୍କରେ ମଧ୍ୟ ବିଜେଡି ଶୀର୍ଷସ୍ତରରେ ବିଚାର ଆଲୋଚନା ଚାଲିଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶା ଅର୍ଥସେବାର ଆଉ ତିନି ଜଣ ଅଧିକାରୀ ଇତିମଧ୍ୟରେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ଅଖିଳ ନାୟକଙ୍କ ଆବେଦନକୁ ସରକାର ଅନୁମତି ଦେଇସାରିଲେଣି। ତାଙ୍କୁ ବିଜେଡି କେନ୍ଦୁଝରର ପାଟନା ଆସନରୁ ପ୍ରାର୍ଥୀ କରିପାରେ ବୋଲି ସୂଚନା ମିଳୁଛି। ପଞ୍ଚାୟତିରାଜ ବିଭାଗର ଅର୍ଥ ପରାମର୍ଶଦାତା ନିରୂପମା ମଲ୍ଲିକଙ୍କ ଆବେଦନ ଉପରେ ଏଯାଏ ମୋହର ଲାଗିପାରିନାହିଁ। ସେ ଜି ଉଦୟଗିରି ଆସନ ଉପରେ ଆଖି ରଖିଛନ୍ତି। ଯଦି େଶଷ ମୁହୂର୍ତଯାଏ ତାଙ୍କ ଆବେଦନ ଉପରେ େମାହର ନଲାଗେ, ତେବେ ସେ ଇସ୍ତଫା ଦେବେ। ସେହିଭଳି ଅତିରିକ୍ତ କମିସନର ଅମୀର ଚନ୍ଦ୍ର ନାୟକଙ୍କ ସ୍ବେଚ୍ଛାକୃତ ଆବେଦନ ଉପରେ ସରକାର ମୋହର ଲଗାଇନାହାନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/naveen-patnaik-1519143156.jpg)
/kanak/media/post_attachments/wp-content/uploads/2019/03/image06500fdb-f97a-4acb-8d1d-46d2f5d8216b-300x169.jpg)
/kanak/media/post_attachments/wp-content/uploads/2019/03/1531240768-Naveen_Patnaik-300x200.jpg)
/kanak/media/post_attachments/wp-content/uploads/2018/12/BJD-300x186.jpg)