କନକ ବ୍ୟୁରୋ : ରାଜ୍ୟ ବିଜେପି ପ୍ରଭାରୀ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ ପାତ୍ର କହିଛନ୍ତି ବିଜେପି ପ୍ରଭାରୀ ଯେଉଁ ପ୍ରସଙ୍ଗରେ ଆଲୋଚନା କରିବା କଥା ତାକୁ ଭୁଲି ଗଲେ । ଦେଶରେ ହେଉଥିବା ଚାଷୀ ଆନ୍ଦୋଳନ ବିଷୟରେ କହିଥିଲେ ଭଲ ହୋଇଥାନ୍ତା ।
ସସ୍ମିତ ଆହୁରି ମଧ୍ୟ କହିଛନ୍ତି, ବିଜେପି ପ୍ରଭାରୀ ମୁଖ୍ୟତଃ ରାଜ୍ୟରେ ଦୁଇଟି ଉପନିର୍ବାଚନରେ ପରାଜିତ ହୋଇଥିବା ରାଜ୍ୟ ବିଜେପିକୁ ଉତ୍ସାହିତ କରିବାକୁ ଆସିଥିଲେ । ହେଲେ ଏହାସହ ତାଙ୍କୁ କୃଷି ବିଲ ସମ୍ବନ୍ଧରେ ଅଧିକ ଆଲୋଚନା କରିବାର ଥିଲା ।
ସେପଟେ ପରୀ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ରଖି ସସ୍ମିତ କହିଥିଲେ, ଯେତେବେଳେ ଇତିଶ୍ରୀ ପ୍ରଧାନଙ୍କ ମାମଲାରେ ଜୟରାମ ପାଙ୍ଗୀଙ୍କ ନାଁ ଉଠୁଥିଲା ସେତେବେଳେ ବିଜେପି ସିବିଆଇ ତଦନ୍ତ ଦାବି କରୁଥିଲା । ହେଲେ ପରେ ଜୟରାମ ବିଜେପିରେ ସାମିଲ ହୋଇଥିଲେ । ଆଉ ତାଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ମଧ୍ୟ ଦିଆଯାଇଥିଲା ।
ଆଜି ରାଜ୍ୟ ବିଜେପି ପ୍ରଭାରୀ ସାମ୍ବାଦିକ ସମ୍ମଳନୀ କରିଥିଲେ । ଏହି ସମୟରେ ସେ ଚାଷୀଠାରୁ ଚିଟଫଣ୍ଡ ଓ ପରୀଠାରୁ ପ୍ରଦୀପ ପାଣିଗ୍ରାହୀ ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାସହ ପରୀର ଅଭିଯଙ୍କୁ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି ।