କନକ ବ୍ୟୁରୋ: ଓଡିଶାରେ ବିଜେଡି-ବିଜେପି ମେଣ୍ଟ କୁ ନେଇ ଆଲୋଚନା ଚାଲିଥିବାବେଳେ, ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ଆଜି ନବୀନ ନିବାସରେ ବସିଥିବା ବୈଠକରେ ସମସ୍ତ ବିଷୟ ଉପରେ ଆଲୋଚନା ହେଇଥିବା ନେଇ ସେ ସୂଚନା ଦେବା ସହିତ ଓଡିଶାରୁ ସ୍ୱାର୍ଥକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ନିଷ୍ପତ୍ତି ନେବେ ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ବିଧାୟକ ଅରୁଣ ସାହୁ ମଧ୍ୟ ସମାନ କଥା ଦୋହରାଇଛନ୍ତି । ଓଡିଶାର ସ୍ୱାର୍ଥକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଉଚିତ୍ ସମୟରେ ନିଷ୍ପତ୍ତି ନେବେ ବୋଲି ଅରୁଣ ସାହୁ କହିଛନ୍ତି । ଯାହାକି ବିଜେପି ସହ ବିଜେଡିର ମେଣ୍ଟ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

Advertisment

ବିଜେଡି ନେତା କହିବା କଥା, ବିଜେଡି ସୁପ୍ରିମୋଙ୍କ ସଭାପତିତ୍ୱରେ ଦଳର ବରିଷ୍ଠ ନେତାଙ୍କୁ ନେଇ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା ହେଇଛି । ୨୦୩୬ ସୁଦ୍ଧା ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହେବାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ତେଣୁ ଓଡିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ସବୁକିଛି କାମ କରିବାକୁ ପ୍ରସ୍ତୁତ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ପୂର୍ବରୁ ବିଜେଡିର ନେତା ବିଜେପି ସହ ମେଣ୍ଟକୁ ଗୁଜବ ବୋଲି କହୁଥିଲେ । ହେଲେ ଆଜିର ବୈଠକ ପରେ କିନ୍ତୁ ମେଣ୍ଟ ପ୍ରସଙ୍ଗକୁ କୌଣସି ନେତା ଖୋଲାଖୋଲି ଭାବେ ମନା କରିନାହାଁନ୍ତି । ସେପଟେ ଦିଲ୍ଲୀରେ ମଧ୍ୟ ବିଜେପି ସାଂସଦ ଜୁଏଲ ଓରାମ ବଡ ବୟାନ ଦେଇଛନ୍ତି । ଓଡିଶାରେ ବିଜେପି-ବିଜେପି ମେଣ୍ଟ ନେଇ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ ବିଜେପି ସାଂସଦ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ କୌଣସି ପ୍ରକାର ବିଧିବଦ୍ଧ ସୂଚନା ଦିଆଯାଇନି । ହେଲେ ଉଭୟ ଦଳ ମେଣ୍ଟକୁ ଅସ୍ୱୀକାର ମଧ୍ୟ କରିନାହାଁନ୍ତି । ତେଣୁ ଆଗାମୀ ୨୪ ଘଣ୍ଟା ଓଡିଶାର ରାଜନୀତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି । ତେଣୁ ଦେଖିବା ବାକି ରହିଲା ବିଜେଡି-ବିଜେପି ମେଣ୍ଟ କରୁଛନ୍ତ ତ? ଆଉ ଯଦି କରୁଛନ୍ତି, ତେବେ କେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେଉଛି ।