କନକ ବ୍ୟୁରୋ : ନିର୍ବାଚନ ହାରିବାର ୪୫ ଦିନ ମଧ୍ୟରେ ବିଜେଡିକୁ ଲାଗିଛି ବଡ ଝଟକା । ରାଜ୍ୟସଭା ସଦସ୍ୟ ପଦ ଓ ବିଜେଡିରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ । ୨୦୨୦ରେ ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇଥିଲା ବିଜେଡି । ତାଙ୍କ ସହ ସୁବାସ ସିଂ, ମୁନ୍ନା ଖାଁ ଓ ସୁଜିତ କୁମାର ବି ରାଜ୍ୟସଭାକୁ ଯାଇଥିଲେ । ଆଉ କାର୍ୟ୍ୟକାଳ ସରିବା ପୂର୍ବରୁ ରାଜ୍ୟସଭା ସଦସ୍ୟ ଓ ବିଜେଡିରୁ ଇସ୍ତଫା ଦେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି ମମତା । ମମତା ବିଜେଡି ଛାଡିବା ନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ବି ମମତାଙ୍କ ସଦସ୍ୟ ପଦରୁ ଇସ୍ତଫା ନେଇ ସ୍ପଷ୍ଟ କରିଛନ୍ତି ।
ରାଜ୍ୟସଭାରେ ଓଡିଶାରୁ ବିଜେଡିର ୯ ଜଣ ଓ ବିଜେପିର ଜଣେ ସଦସ୍ୟ ଅଛନ୍ତି । ଆଉ ମମତାଙ୍କ ଇସ୍ତଫା ସହ ବିଜେଡି ଗଡକୁ ଭେଦିବାକୁ ଉଦ୍ୟମ ଆରମ୍ଭ କରିଛି ଶାସକ ବିଜେପି । ଏବେ ମମତାଙ୍କ ଇସ୍ତଫା ପରେ ଏହି ଆସନ ପାଇଁ ପୁଣି ଥରେ ନିର୍ବାଚନ ହେବ । ଆଉ ନିର୍ବାଚନ ହେଲେ ବିଧାନସଭା ସଂଖ୍ୟାଗଣିତ ଦୃଷ୍ଟିରୁ ଏହି ରାଜ୍ୟସଭା ଆସନ ବିଜେପି ହାତକୁ ଚାଲିଯିବା ଏକପ୍ରକାର ନିଶ୍ଚିତ । ଆସନ୍ତୁ ନଜର ପକାଇବା ସଂଖ୍ୟା ଗଣିତ ଉପରେ
-ବିଧାନସଭାର ମୋଟ ବିଧାୟକଙ୍କ ସଂଖ୍ୟା ହେଉଛି ୧୪୭
-ଗୋଟିଏ ଆସନ ପାଇଁ ହେବ ନିର୍ବାଚନ
- ୧୪୭+୧୦୦
--------------- + ୧=୭୪.୫ ଭୋଟ୍
(୧+୧)
-ବିଜୟ ପାଇଁ ଆବଶ୍ୟକ ୭୫ଟି ପ୍ରଥମ ପସନ୍ଦ ଭୋଟ
- ବିଜେପି ପାଖରେ ଅଛନ୍ତି ୭୮ ବିଧାୟକ
-୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ବି ବିଜେପି ସହ ରହିଛି
କୁହାଯାଉଛି, ଇସ୍ତଫା ଦେବା ପୂର୍ବରୁ ମମତା ବିଜେପିର ବଡ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଏହାସହ ମମତାଙ୍କ ଜରିଆରେ ବିଜେଡି ଗଡକୁ ଭେଦିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି । ବିଜେଡି ଶିବିରରେ ବି କମ୍ପନ ସୃଷ୍ଟି ହୋଇଛି ।