ତିର୍ତୋଲ ବ୍ଲକ ସଭାପତି ପଦକୁ ନେଇ ବିଜେଡିରେ କନ୍ଦଳ । ଉପନିର୍ବାଚନ ପାଇଁ ହୋଇଥିବା ରୁଦ୍ଧଦ୍ୱାର ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ : ବରିଷ୍ଠ ବିଜେଡି ନେତାଙ୍କ ଆକଟ ସତ୍ୱେ କର୍ମୀ କର୍ମୀଙ୍କ ମଧ୍ୟରେ ଠେଲାପେଲା

196

କନକ ବ୍ୟୁରୋ : ବିଜେଡିର ତିର୍ତୋଲ ବ୍ଲକ ସଭାପତି ପଦକୁ ନେଇ ବିଜେଡିରେ କନ୍ଦଳ । ଗତକାଲି ତିର୍ତୋଲ ଉପ ନିର୍ବାଚନକୁ ନେଇ ମୁନି ଗୋସେଇଁ ମଠରେ ଅନୁଷ୍ଠିତ ବିଜେଡିର ରୁଦ୍ଧ ଦ୍ୱାର ବୈଠକରେ ଏହି ଘଟଣା ଘଟିଛି । ବୈଠକରେ ତିର୍ତୋଲ ବିଜେଡି ବ୍ଲକ ସଭାପତି ଭାବେ ଗଙ୍ଗାଧର ବିଶ୍ୱାଳଙ୍କୁ ମଂଚରେ ବସାଯାଇଥିଲା । ଏହାକୁ ବିଜେଡିର ଅନ୍ୟଏକ ଗୋଷ୍ଠୀ ବିରୋଧ କରିବାରୁ ରୁଦ୍ଧଦ୍ୱାର ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା । ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଅନୁଗତ ବସନ୍ତ ମହାପାତ୍ର ତିର୍ତୋଲ ବ୍ଲକ ସଭାପତି ବୋଲି ଦାବି କରିଥିଲେ । ଏପରି କି ଦଳର ବ୍ଲକ ସଭାପତି କିଏ ବୋଲି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।

ବୈଠକରେ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡି ବ୍ଲକ ସଭାପତି କିଏ ? ଏହି ପ୍ରସଙ୍ଗକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ ହେବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଆଗାମୀ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ କରିବାକୁ ବିଷ୍ଣୁଙ୍କ ସମର୍ଥକ ଦାବି ଉଠାଇଛନ୍ତି ।