ଅକ୍ଷତ ରହିଛି ନବୀନଙ୍କ ଲୋକପ୍ରିୟତା : ଉପନିର୍ବାଚନରେ ଜିତି ପାରୁନାହାନ୍ତି ବିରୋଧୀ

ବିଜେପୁର, ବାଲେଶ୍ୱର ଓ ତିର୍ତୋଲ ପରେ ବିଜେଡି ଖାତାକୁ ଗଲା ପିପିଲି; ସାଧାରଣ ନିର୍ବାଚନ ତୁଳନାରେ ବଢ଼ି ଚାଲିଛି ଭୋଟ ବ୍ୟବଧାନ

166

କନକ ବ୍ୟୁରୋ : ଉପନିର୍ବାଚନରେ ଜିତି ପାରୁ ନାହାନ୍ତି ବିରୋଧୀ । ଏପରିକି ଜିତିଥିବା ସିଟ୍ ମଧ୍ୟ ବଂଚାଇ ପାରୁନାହାଁନ୍ତି ବିରୋଧୀ । ବରଗଡ଼ର ବିଜେପୁର,ବାଲେଶ୍ୱରର ସଦର, ଜଗତସିଂହପୁରର ତିର୍ତୋଲ ଏବଂ ପୁରୀର ପିପିଲି ସବୁ ନିର୍ବାଚନରେ ବାଜିମାତ କରିଛି ବିଜେଡି । ଯେତେ ଚେଷ୍ଟା କଲେ ବି ବିଜୟର ସ୍ୱାଦ ପାଇପାରୁ ନାହାଁନ୍ତି ବିଜେପି ଓ କଂଗ୍ରେସ । ୨୦୧୮ରେ ବିଜେପୁରରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ସେଠାରେ ହୋଇଥିବା ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହୋଇଥିଲା  । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ୱର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁ ୪୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।

୨୦୨୯ରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିବା ବିଜେପି ବିଧାୟକ ମଦନ ମୋହନ ଦତ ଏବଂ ଜଗତସିଂହପୁର ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ୨୦୨୦ରେ ନଭେମ୍ବରରେ ଏହି ଦୁଇଟି ଆସନରେ ନିର୍ବାଚନ ହୋଇଥିଲା । ଉଭୟ ଆସନରେ ବିଜେଡି ବିଜୟୀ ହୋଇଥିଲା । ବାଲେଶ୍ୱର ସଦରରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ମଦନଙ୍କ ପୁଅ ମାନସଙ୍କୁ ବିଜେଡି ପ୍ରାଥୀ ସ୍ୱରୁପ ଦାସ ୧୩ ହଜାରରୁ ଅଧିକ ଭୋଟରେ ହରାଇଥିଲେ । ସେହିପରି ତିର୍ତୋଲରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଷ୍ଣୁଙ୍କ ପୁଅ ୪୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ । ଏବେ ପିପିଲିରେ ପୁଣି ଜିତିଛି ବିଜେଡି ।

ସବୁଠି ବିଜେପି ଜୋର୍‌ଦାର୍‌ ଲଢ଼େଇ କରୁଛି । ଶାସକ ଦଳକୁ କଡ଼ା ଟକ୍କର ଦେଉଛି । ଦଳର ଭୋଟ୍‌ ହାର ବଢ଼ୁଛି । କିନ୍ତୁ ସଫଳତା ଛୁଇଁବା‌ ଏ ଯାଏଁ ସହଜ ‌ହେଉ ନାହିଁ । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ବହୁ ପଛକୁ ଠେଲି ଦେଇ ବିଜେପି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି ସତ । କିନ୍ତୁ ସଂଖ୍ୟା ଗଣିତରେ ବିଜେଡିଠାରୁ ଯଥେଷ୍ଟ ପଛରେ ରହିଛି ବିଜେପି । ବିଜେଡିକୁ ପଛକୁ ଠେଲି ଏକ ନମ୍ବରକୁ ଆସିବା ପାଇଁ ଦଳର ରଣନୀତି ସେତିକି ଦୃଢ଼ ହୋଇପାରୁ ନାହିଁ । ନିର୍ବାଚନ ବେଳେ ତୃଣମୂଳ ସ୍ତରରେ ଏହି ରଣନୀତିର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ।

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତାହାର ଅବ୍ୟବହିତ ପୂର୍ବରୁ ପିପିଲି ଉପନିର୍ବାଚନର ଫଳାଫଳ ନିଶ୍ଚିତ ଭାବେ ରାଜ୍ୟ ରାଜନୀତିକୁ ସରଗରମ ରଖିବ । ବିଜେଡି ଶିବିରକୁ ଏହା ଚଳଚଞ୍ଚଳ କରିଦେଇଛି । ତ୍ରୁଟି ସୁଧାରି ବିଜେପି କିପରି ଆଗାମୀ ଦିନରେ ମୁକାବିଲା ପାଇଁ ରଣନୀତି କରୁଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି । ଆଉ କଂଗ୍ରେସ ତାହାର ଶୋଚନୀୟ ସ୍ଥିତିକୁ ମୁକୁଳିବ ନା ଭୋଟ୍‌ ରାଜନୀତିରେ ଅପ୍ରାସଙ୍ଗିକ ହୋଇ ରହିବ, ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ।