କନକ ବ୍ୟୁରୋ: ହୋହଲ୍ଲା ,ପ୍ରତିବାଦ ଓ ନାରାବାଜିରେ କମ୍ପିଛି ରାଜଧାନୀ ଭୁବନେଶ୍ୱର । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ରାଜରାସ୍ତାରେ ସାମ୍ନାସାମ୍ନି ହୋଇ ପ୍ରତିବାଦ କରିଛନ୍ତି । କେନ୍ଦ୍ର ବିରୋଧରେ ପୁଣି ଗର୍ଜିଛି ବିଜେଡି । କେନ୍ଦ୍ର ଚାଉଳ କାଟିବା ପ୍ରସଙ୍ଗରେ ରାଜରାସ୍ତା ଓହ୍ଲାଇ ପ୍ରତିବାଦ କରିଛି ଦଳ । ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦଳର ନେତାମାନେ ସ୍ମାରକପତ୍ର ଦେଇଛନ୍ତି ।

Advertisment

ରାଜ୍ୟେରେ ଆଇନଶୃଙ୍ଖଳା ଓ ନବଦାସ ହତ୍ୟାକୁ ନେଇ ରାଜଧାନୀରେ ହରତାଳ କରିଛି ମୁଖ୍ୟ ବିରୋଧୀ ଦଳ ବିଜେପି । ଏଜି ଛକ ସମେତ ରାଜଧାନୀର ୫ଟି ପ୍ରମୁଖ ଛକରେ ପ୍ରତିବାଦ କରିଛନ୍ତି ଦଳର ଛାମୁଆ ସଙ୍ଗଠନ । ଆଉ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ଦେଖିବାକୁ ମିଳିଛି । ଏପରିକି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରତିବାଦ କରୁଥିବାବେଳେ ପୁଲିସ ତାଙ୍କୁ ଟେକି ଟେକି ନେଇଛି ।

ବିଜେଡିର ଦାବି ହେଲା, ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାରେ ୫ କେଜି ଚାଉଳକୁ କାହିଁକି କାଟିଲା କେନ୍ଦ୍ର?
-ଧାନ କ୍ରୟ କ୍ଷେତ୍ରରେ ୨୦ ହାଜର କୋଟିର ବଜେଟ କମ କରିଦିଆଯାଇଛି
-ଉଷୁନା ଚାଉଳକୁ କେନ୍ଦ୍ର ସରକାର ଉଠାଉନାହାନ୍ତି
ସେହିଭଳି ବିଜେପିର ଦାବି ହେଲା
-ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି
-ନବ ଦାସଙ୍କ ହତ୍ୟା ମାମଲାରେ ନୂଆ କାହାଣୀ ଶୁଣାଉଛି କ୍ରାଇମବ୍ରାଂଚ
-ଏନସିଆରବି ରିପୋର୍ଟ ଅନୁସାରେ, ଓଡିଶାରେ ଅପରାଧ ବଢୁଛି
-ଶାସକ ଦଳର ଅଧିକାଂଶ ନେତା ଅପରାଧରେ ସଂପୃକ୍ତ ଅଛନ୍ତି

ରାଜଭବନ ସମ୍ମୁଖରେ ବିଜେଡି ବଡ ନେତାଙ୍କ ପ୍ରତିବାଦବେଳେ ଗୋଟିଏ ଦୃଶ୍ୟକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି । କିଛିଦିନ ଧରି ଦଳୀୟ ବ୍ୟାପରରୁ ଦୂରେଇ ରହିଥିବା ଓ ଅସନ୍ତୋଷ ଝାଡୁଥିବା ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ କିନ୍ତୁ ଆଗଧାଡିରେ ଦେଖିବାକୁ ମିଳିଥିଲା । ବଡ ନେତାଙ୍କ ସହ ସେ ପ୍ରତିବାଦର ନେତୃତ୍ୱ ନେଇଥିଲେ ଓ ରାଜଭବନକୁ ଯିବା ପରେ ଗଣମାଧ୍ୟମର ସାମ୍ନା ବି କରିଥିଲେ ।