ବିଜେପି ଶାସିତ ରାଜ୍ୟକୁ ଅଧିକ ଘର ଦେଉଛ, ଓଡ଼ିଶା ବେଳକୁ ପାତରଅନ୍ତର କରୁଛ । ଆବାସ ଯୋଜନାକୁ ନେଇ କେନ୍ଦ୍ର ଅବହେଳା ଅସ୍ତ୍ର ଛାଡିଲା ବିଜେଡି ।

102

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଅବହେଳା ଅଭିଯୋଗରେ ବିଜେଡ଼ିର ପ୍ରତିବାଦ । ବିଧାନସଭାରୁ ଚାଲି ଚାଲି ରାଜଭବନ ପର୍ଯ୍ୟନ୍ତ ଯାଇଛି ବିଜେଡ଼ି । କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାରେ ପାତର ଅନ୍ତର କରିଛନ୍ତି । ୧୩ ଲକ୍ଷ ଘର ଆବଶ୍ୟକତା ଥିବା ବେଳେ କେନ୍ଦ୍ର ଦେଇଛି ମାତ୍ର ୫ଲକ୍ଷ । ବାକି ୮ ଲକ୍ଷ ଘର ଦେବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଲେ ବି କେନ୍ଦ୍ର ଶୁଣୁନଥିବା ଅଭିଯୋଗ କରିଛି ବିଜେଡ଼ି ।

ବିଜେପି ଶାସିତ ରଜ୍ୟକୁ ଅଧିକ ଘର ମିଳୁଥିବା ଅଭିଯୋଗ କରିଛି ବିଜେଡି । ଓଡ଼ିଶାରେ ବାରମ୍ବାର ବାତ୍ୟା ହେଉଥିଲେ ବି ଆବଶ୍ୟକ ଘର ଘର ମିଳୁନି । ଏପରିକି ଫୋନି ସହାୟତା ଘର ମିଳିନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ । ଏଥିପାଇଁ ବିଜେଡିର ବିଧାୟକ ମାନେ ଚାଲି ଚାଲି ରାଜଭବନ ଅଭିମୁଖେ ବାହାରିଥିଲେ । ରାଜଭବନରେ ପହଞ୍ଚିବା ପରେ ବିଜେଡିର ଏକ ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଛନ୍ତି । ଏହାସହ ଯଦି କେନ୍ଦ୍ର ସରକାର ଏଭଳି ପାତରଅନ୍ତର ନୀତିରୁ ଦୂରେଇ ନ ରୁହନ୍ତୁ ତେବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି ।

ମମିତା ପ୍ରସଙ୍ଗକୁ ନେଇ ବିଜେଡି ବ୍ୟାକଫୁଟରେ ଥିବାରୁ ଏଭଳି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଉଥିବା କହିଛନ୍ତି ବିରୋଧୀ । ମମିତା ପ୍ରସଙ୍ଗରୁ ନଜର ହଟାଇବାକୁ ଏଭଳି କରୁଥିବା କହିଛନ୍ତି ବିରୋଧୀ । କିନ୍ତୁ ବିଜେଡି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସବୁବେଳେ ଲଢି ଆସିଛି ବିଜେଡି । ସାଧାରଣ ଲୋକଙ୍କ ସମସ୍ୟାରୁ ବିରୋଧୀ ଦୂରେଇ ରହି ସବୁବେଳେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କେନ୍ଦ୍ରୀଭୂତ ହୋଇ ରହୁଛନ୍ତି । ଆଉ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଗୃହରେ ଉଠାଇ ବିଧାନସଭା ଚଳାଇ ଦେଉନାହାନ୍ତି ବିରୋଧୀ । କିନ୍ତୁ ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି । କରୋନା କାଳରେ ଦେଶର ଆର୍ଥିକ ସ୍ଥିତି ଭଲ ନଥିଲା ବେଳେ ଦରଦାମ ବୃଦ୍ଧିକୁ ଲୋକେ ସହୁଥିଲେ । କିନ୍ତୁ ଏବେ କରୋନା ସ୍ଥିତି ନିୟନ୍ତ୍ରଣ ଥିବା ବେଳେ ଦରଦାମ ବୃଦ୍ଧିରେ ଲଗାମ ଲାଗୁନାହିଁ । କେନ୍ଦ୍ର ସରକାର ଏଥିପାଇଁ କିଛି ପଦକ୍ଷେପ ନେଇଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେଡି ।