ଦରବୃଦ୍ଧି ପ୍ରସଙ୍ଗରେ ମୋଦୀ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଲା ବିଜେଡି । ଆଜି ରାଜଭବନ ସାମନାରେ ପ୍ରତିବାଦ ।

115

କନକ ବ୍ୟୁରୋ: ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଉଛି ବିଜେଡି । କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିର କାରଣ ହୋଇଛି । ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି ଆସିଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ମହଙ୍ଗା ହୋଇଥିବା ବିଜେଡି ଅଭିଯୋଗ କରିଛି । ଦର ବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିବ ବିଜୁ ଜନତା ଦଳ । ବିଶେଷ କରି ଆର୍ଥିକ ପରିଚାଳନାରେ ମୋଦୀ ସରକାର ଫେଲ ମାରିଥିବା ଦଳ କହିଛି । ତେବେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ରଣନୀତି ବାବଦରେ ଘୋଷଣା କରିଛି ବିଜେଡି । ଏହି କ୍ରମରେ ଆଜି ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଭୁବନେଶ୍ୱର କେଶରୀ ହଲ ନିକଟରୁ ସାଇକେଲ ରାଲିରେ ବାହାରିବେ ବିଜେଡି ନେତା ଓ ଛାତ୍ର ଜନତା ଦଳର କର୍ମୀ ।