ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି : ଆସନ୍ତାକାଲି କଟକ ଆରଡିସି ଅଫିସ ସମ୍ମୁଖରେ ଧାରଣା ଦେବ ଦଳ

Advertisment
ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି : ଆସନ୍ତାକାଲି କଟକ ଆରଡିସି ଅଫିସ ସମ୍ମୁଖରେ ଧାରଣା ଦେବ ଦଳ

କନକ ବ୍ୟୁରୋ : ଗ୍ୟାସ୍ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି । ଆସନ୍ତାକାଲି କଟକ ଆରଡିସି ଅଫିସ୍ ସମ୍ମୁଖରେ ଧାରଣା ଦେବ ବିଜେଡିର ସମସ୍ତ ଛାମୁଆ ସଂଗଠନ । ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ୍ ସହ ବ୍ଲକ ସମ୍ମୁଖ୍ୟରେ ଆନ୍ଦୋଳନ କରାଯିବ । ଦର ନକମିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଆନ୍ଦୋଳନ ପୁର ପଲ୍ଲୀ ଯାଏଁ ଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି ।

ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ଗ୍ୟାସ୍ ଦର ସାଢେ ୩ ବର୍ଷରେ ୭୦ ପ୍ରତିଶତ ବଢିଛି । ଅହେତୁକ ଦର ବୃଦ୍ଧି ଯୋଗୁ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକେ ଅତିଷ୍ଠ ହେଲେଣି । ଉଜ୍ଜଳା ଯୋଜନାରେ ମହିଳା ରିଫିଲ୍ କରିନପାରି ସମସ୍ୟା ଭୋଗୁଛନ୍ତି । ପ୍ରତିବାଦ ପରେ ବି ଦର ନକମିଲେ ପୁଣି ଆନ୍ଦୋଳନ କରାଯିବ । କେବଳ ଗ୍ୟାସ୍ ଦର ନୁହଁ, ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢିଛି । ତେଣୁ ଦର ନକମିଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ।

ଶନିବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ଏଲ୍‌ପିଜି ଗ୍ୟାସ୍‌ ଦର ଗୃହିଣୀଙ୍କୁ ବାଧୁଛି । ଯେଉଁ ଏଲ୍‌ପିଜି ଉପରେ ୪୦୦ରୁ ୪୫୦ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳୁଥିଲା ତାହାକୁ ଏବେ ତୈଳ କମ୍ପାନିଗୁଡ଼ିକ ୧୩ଟଙ୍କା ୯୫ପଇସାକୁ କମାଇଦେଲେଣି । ମା’ ଭଉଣୀଙ୍କ ଦେହରେ ଧୂଆଁ ବାଜିବନି ‌କହି ଯେଉଁମାନେ ମାଗଣାରେ ଉଜ୍ଜ୍ବଳା ଗ୍ୟାସ୍‌ ବାଣ୍ଟିଥିଲେ ସେମାନେ ଏବେ ସିଲିଣ୍ଡର କେମିତି ଭର୍ତ୍ତି ହେବ ଚିନ୍ତା କରୁନାହାନ୍ତି । ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦାମ୍ ହଜାରେ ଟଙ୍କା ପାଖାପାଖି ପହଞ୍ଚିଥିବାରୁ ବହୁ ମା’ ଭଉଣୀ ଏବେ ଗ୍ୟାସ୍ ଭର୍ତ୍ତି କରିପାରୁନାହାନ୍ତି। ତେଣୁ ରନ୍ଧନ ଗ୍ୟାସ୍‌ ଉପରେ ଅତି କମ୍‌ରେ ୪୦୦ ଟଙ୍କା ସବ୍‌ସିଡି ନଦେଲେ ଲୋକଙ୍କର ଚଳିବା କଷ୍ଟକର ହୋଇଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି ।

ଏହାର ଜବାବ୍ ଦେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ଦେଶର ସାଢେ ୭ କୋଟି ଲୋକଙ୍କୁ ଉଜ୍ଜ୍ବଳା ଯୋଜନା ଜରିଆରେ ଗ୍ୟାସ୍‌ ଯୋଗାଇ ଦିଆଯାଉଛି । ଯେତେବେଳେ ଗ୍ୟାସ ଦର ଘୋଷଣା କରାଗଲା ସେତେବେଳେ କୋଭିଡ୍ ନଥିଲା । କୋଭିଡ୍‌ ଯୋଗୁଁ ପ୍ରଥମେ ୫୦ ହଜାର କୋଟି ଟଙ୍କା ଓ ପରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେ ଟଙ୍କା ଆସିବ କେଉଁଠୁ? ପେଟ୍ରୋଲ ଓ ଡିଜେଲ ଉପରେ ଲାଗିଥିବା ଟିକସ ରାଜ୍ୟ ସରକାର କାଟନ୍ତୁ । ଦରଦାମ୍‌ କମାଇବା କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ ରହିଛି। ଦରଦାମ୍‌ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସମବାୟ ମନ୍ତ୍ରୀ ଆଗେ ନିଜ ବିଭାଗକୁ ସମ୍ଭାଳନ୍ତୁ ବୋଲି ଶ୍ରୀ ସେଠୀ କହିଛନ୍ତି। ଏହାସହ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ୍‌ ସମସ୍ୟା ସମାଧାନ ହୋଇଛି । ଆଗକୁ ଗ୍ୟାସ୍‌ ସମସ୍ୟା ସମାଧାନ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe