ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ପ୍ରେସମିଟ୍ କଲା ବିଜେଡି । ପ୍ରମିଳା ମଲ୍ଲିକ କହିଲେ, ନିଶ୍ଚୟ ଦଣ୍ଡ ପାଇବ ଦୋଷୀ । ରାଜନୀତି କରନ୍ତୁ ନାହିଁ ବିରୋଧୀ।

199

କନକ ବ୍ୟୁରୋ: ମମିତା ମେହେର ମୃତ୍ୟୁ ଘଟଣାରେ ବିଜେଡି କରିଛି ସାମ୍ବାଦିକ ସମ୍ମିଳନୀ । ଏହି ଘଟଣାରେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ଓ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ତାଙ୍କ କହିବା ମୁତାବକ, ଏହି ଘଟଣାରେ ଏବେ ଜଣେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହେବେ । ହେଲେ ବିରୋଧୀ ନେତାମାନେ ଅଯଥାରେ ରାଜନୀତି କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ନେତା, ମନ୍ତ୍ରୀମାନେ କୌଣସ ଅନୁଷ୍ଠାନକୁ ଯିବା ନୂଆ କଥା ନୁହେଁ । କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ ସରକାରୀ ଅନୁଦାନ ପାଇବା ମଧ୍ୟ ନୂଆ କଥା ନୁହେଁ । ସେହିପରି ଅପରାଧୀଙ୍କ ସହିତ ବିଭିନ୍ନ ସମୟରେ ନେତା ମନ୍ତ୍ରୀଙ୍କ ଫଟୋ ରହିଥାଏ । ହେଲେ ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟିକା । ତେବେ ଏହି ଘଟଣାର ତଦନ୍ତ ପୋଲିସ ଠିକ୍ ଭାବେ କରୁଛି । ଏହାର ଅଫିସର ମଧ୍ୟ ଏନଆଇଏରେ କାମ କରିସାରିଛନ୍ତି । ହେଲେ ବିଜେପି ନେତାମାନେ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି । ଏମିତି ହେଲେ ସେମାନେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବେ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

ଏଥିସହିତ ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡକୁ ନେଇ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଯଦି ବିଜେପି ନେତାମାନେ ସବୁ ଘଟଣାରେ ସିବିଆଇ ତଦନ୍ତ ଦାବି କରୁଛନ୍ତି, ତେବେ ଉତ୍ତରପ୍ରଦେଶ ଘଟଣାରେ ସେମାନେ କାହିଁକି ସିବିଆଇ ତଦନ୍ତ ଦାବି କରୁନଥିଲେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି । ତା ସହିତ ଓଡିଶା ପୋଲିସ ମମିତା ମେହେର ମୃତ୍ୟୁ ମାମଲାର ତଦନ୍ତ ଠିକ୍ ଭାବେ କରୁଛି । ଖୁବଶୀଘ୍ର ଏହି ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, ବିରୋଧୀମାନେ ମନ୍ତ୍ରୀଙ୍କ ଇସ୍ଥଫା ନେଇ ଯେଉଁ ଦାବି କରୁଛନ୍ତି ତାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା । କହିଛନ୍ତି କେବଳ ମନ୍ତ୍ରୀ ଇସ୍ତଫା ଦେଇଦେଲେ କଣ ନ୍ୟାୟ ମିଳିଯିବ? ତଦନ୍ତ ପ୍ରକ୍ରିୟା ଚାଲିଛି, ଖୁବଶୀଘ୍ର ଦୋଷୀଙ୍କୁ ଦଣ୍ଡ ମିଳିବ । ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ବିରୋଧୀମାନେ ଏହି ଘଟଣାକୁ ନେଇ ଶାସକ ଦଳକୁ ଘେରୁଥିବାବେଳେ , ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛନ୍ତି । ଏପରି ସ୍ଥଳେ ଆଜି ପ୍ରେସମିଟ୍ କରି ଉତ୍ତର ରଖିଛି ଶାସକ ବିଜୁ ଜନତା ଦଳ ।