ଆଉ ପାଦେ ଆଗେଇଲା ପାଣ୍ଠି ପଲିଟିକ୍ସ ! ନବୀନଙ୍କ ବିରୋଧରେ ଅଭିଯୋଗ ପରେ ବିଜେଡିର ଜବାବୀ ଟାର୍ଗେଟ୍

23

କନକ ବ୍ୟୁରୋ : ନିର୍ବାଚନୀ ପାଣ୍ଠି ଅନିୟମିତତା ପ୍ରସଙ୍ଗରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଆସୁଥିବା ବିଜେପିକୁ, ବିଜୁ ଜନତା ଦଳର କାଉଂଟର ଆଟାକ୍ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସତ୍ୟପାଠକୁ ଆଧାର କରି ରାଜ୍ୟ ବିଜେପିକୁ ଘେରିବାକୁ ଉଦ୍ୟମ କରିଛି ବିଜେଡି । ଆଜି ଦ୍ୱିତୀୟ ଦିନରେ ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ ଓ ପିନାକୀ ମିଶ୍ର । ନବୀନ ପଟ୍ଟନାୟକଙ୍କ ସତ୍ୟପାଠକୁ ନେଇ ବିଜେପି ବାରମ୍ବାର ବିଜେଡିକୁ କାଠଗଡାରେ ଛିଡା କରିଥିବାବେଳେ ଏବେ କେନ୍ଦ୍ରମନ୍ତ୍ରୀଙ୍କ ସତ୍ୟପାଠକୁ ନେଇ ସମାନ ରଣନୀତି ଆପଣେଇଛି ବିଜୁ ଜନତା ଦଳ ।

ବିଜେଡି ଅଭିଯୋଗ କରିଛି ଯେ, କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ନିର୍ବାଚନ କମିଶନଙ୍କୁ ଦେଇଥିବା ସତ୍ୟପାଠରେ ନିର୍ବାଚନୀ ଖର୍ଚ୍ଚକୁ ନେଇ ବିରାଟ ଅସଙ୍ଗତି ରହିଛି । ସିଡ୍ୟୁଲ ସେଭେନରେ, ନିର୍ବାଚନ ପ୍ରଚାର ପାଇଁ ନିଜେ କୌଣସି ଟଙ୍କା ଖର୍ଚ୍ଚ କରିନଥିବା ଦର୍ଶାଇଛନ୍ତି ଜୁଏଲ ଓରାମ । ଏଥିପାଇଁ ନିର୍ଦ୍ଧାରିତ କଲମରେ ନଟ୍ ଆପ୍ଲିକେବଲ ବୋଲି ସେ ଦର୍ଶାଇଛନ୍ତି । ହେଲେ ସିଡ୍ୟୁଲ ନାଇନରେ ନିଜେ ଏକାଧିକ ଥର ଚେକ ଓ କ୍ୟାସ ଡିପୋଜିଟ କରିଥିବା ଦର୍ଶାଇଛନ୍ତି ।

ଯେଉଁଥିରେ କେବଳ ୧ ଲକ୍ଷ ୪୦ ହଜାର ଟଙ୍କା କ୍ୟାସ ଡିପୋଜିଟ କରାଯାଇଥିବା ଉଲ୍ଲେଖ ରହିଛି । ଗୋଟିଏ ସତ୍ୟପାଠରେ ଏଭଳି ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଆପତି ଉଠାଇଛି ବିଜେଡି । ଏପରିକି ଏନେଇ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିବ ବୋଲି ଦଳ କହିଛି । ବିଭ୍ରାନ୍ତିକର ସତ୍ୟପାଠ ଦେଇଥିବାରୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ପାଇଁ ଦାବି କରିଛି । ଏଥିସହ ତାଙ୍କ ବିରୋଧରେ କୋର୍ଟକୁ ଯିବ ବୋଲି ଖୋଲା ଚେତାବନୀ ଦେଇଛି ବିଜୁ ଜନତା ଦଳ ।

ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ, ବିଜେଡି ଗଳାବାଟ ଖୋଜୁଛି । ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କହୁଥିବାବେଳେ ନିଜେ ଆଇନର ଖିଲାପ କରିଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ସେହିପରି ଜୁଏଲଙ୍କ ଇସ୍ତଫା ଦାବି କରୁଥିବା ବିଜେଡି ନେତାମାନେ ପ୍ରଥମେ ଇସ୍ତଫା ଦେଇ ନୈତିକତାର ଉଦାହରଣ ଦିଅନ୍ତୁ ବୋଲି କହିଛି ଭାରତୀୟ ଜନତା ପାର୍ଟି ।