ଗସ୍ତ ପୂର୍ବରୁ ଗରମ ହେଲା ପାଟକୁରା ! କାଲି ସାବିତ୍ରୀଙ୍କ ପାଇଁ ନବୀନ କରିବେ ‘ସୁପର ସୋ’

268

କନକ ବ୍ୟୁରୋ: ହାତରେ ଆଉ ମାତ୍ର ତିନି ଦିନ । ୧୯ ରାତି ପାହିଗଲେ ୨୦ ତାରିଖ ସକାଳୁ ସକାଳୁ ପାଟକୁରା ପାଇଁ ପଡିବ ଭୋଟ । ନାକ ତଳେ ନିର୍ବାଚନ ଥିବାରୁ ନେତାଙ୍କ ଆଖିରୁ ନିଦ ହଜିଛି । ଆଉ ପାଟକୁରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଚାର କାମ ଶେଷ କରିବାକୁ ସବୁ ଦଳର ପ୍ରସ୍ତୁତି ପ୍ରଖର ବେଗରେ ଚାଲିଥିବା ବେଳେ ଆସନ୍ତାକାଲି ପାଟକୁରାରେ ସୁପର ସୋ କରିବେ ‘ଶଙ୍ଖ’ ସୁପ୍ରିମୋ ।


ବୁଧବାର ପାଟକୁରା ଦେଖିବ ବିଜେଡି ସୁପ୍ରିମୋଙ୍କ ବଡ ସୋ । ୧୭ ତାରିଖ ଅର୍ଥାତ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ସୋ କରିବେ ନବୀନ । ରୋଡ ସୋ ମାଧ୍ୟମରେ ସାବିତ୍ରୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ।


ତେବେ ଆସନ୍ତାକାଲି ସକାଳ ୯.୨୦ରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରିବେ । କେନ୍ଦ୍ରାପଡା ବାରିମୁଳ ହେଲିପ୍ୟାଡରେ ୯ଟା ୫୦ରେ ପହଞ୍ଚିବେ ଆଉ ୧୦ଟାରେ ବସ ଯୋଗେ ପ୍ରଚାର ସହ ରୋଡ ସୋ ଆରମ୍ଭ କରିବେ । ତେବେ ୧୦ଟା ପର ଠାରୁ ଦିନ ୧୨ଟା ୪୫ ପର୍ଯ୍ୟନ୍ତ ହାଇଟେକ ବସରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ରୋଡ ସୋ ବେଳେ ଚାନ୍ଦୋଳ ଠାରେ ଜନ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଦିନ ୨ଟା ୧୫ ଠାରୁ ୫ଟା ୧୫ ଯାଏଁ ଗରଦପୁର ବ୍ଲକ ସମେତ ପାଟକୁରାର କିଛି ପଞ୍ଚାୟତରେ ରୋଡ ସୋ କରିବେ ନବୀନ । ପୁଣି ୫ଟା ୩୦ରୁ ମାର୍ଶାଘାଇ ବ୍ଲକରେ ପ୍ରଚାର କରି କଲପାଟଣା ହାଟ ପର୍ଯ୍ୟନ୍ତ ରୋଡ ସୋ’ରେ ଆସିବେ ସୁପ୍ରିମୋ । ତେବେ ସନ୍ଧ୍ୟା ୭ଟାରେ ପ୍ରଚାର ଶେଷ କରି ରାତି ୯ଟାରେ ନବୀନ ନିବାସ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।