ବିଜୟ ପରେ ବିଧାୟକମାନଙ୍କୁ ନବୀନଙ୍କ ଟିପ୍ସ । କହିଲେ, ସରଳ ଜୀବନଯାପନ କର, ଲୋକଙ୍କ ନିକଟତର ହୁଅ ।

454

କନକ ବ୍ୟୁରୋ: ବିଜେଡି ବିଧାୟକଦଳ ନେତା ଭାବେ ନିର୍ବାଚିତ ହେବାପରେ ନବୀନ ବଖାଣିଲେ ସଫଳତାର ସୂତ୍ର । କହିଲେ, “ପଞ୍ଚମ ଥର ପାଇଁ ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋ ଉପରେ ବିଶ୍ୱାସ ରଖି ତାଙ୍କ ସେବା କରିବାରେ ସୁଯୋଗ ଦେଇଛନ୍ତି, ତେଣୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି । ଆଉ ବିଜେଡି ଉପରେ ରଖିଥିବା ଭରସାକୁ ସମ୍ମାନ ଜଣାଇ ଆଗକୁ ଶୃଙ୍ଖଳିତ ଭାବେ ଜନତାଙ୍କ ସେବା କରିବାକୁ ସମସ୍ତ ନବନିର୍ବାଚିତ ପ୍ରତିନିଧିଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅନ୍ୟପଟେ ନିରକୁଂଶଭାବେ ପଞ୍ଚମ ଥର ପାଇଁ ରାଜ୍ୟରେ କ୍ଷମତା ବଜାୟ ରଖିବାର ସଫଳତା ସୂତ୍ର ନେଇ ନବୀନ କହିଛନ୍ତି କି, ବିଜେଡି ସବୁବେଳେ ୨ଟି ଦିଗ ଉପରେ ଗୁରୁତ୍ୱ ଦେଇଥାଏ । ପ୍ରଥମଟି ହେଲା- ଜନତାଙ୍କ ଉପରେ ଧ୍ୟାନ ଏବଂ ଦ୍ୱିତୀୟଟି ଜନତାଙ୍କ ପାଇଁ କାମ ହିଁ ବିଜେଡିର ମୂଳମନ୍ତ୍ର । ଏପରିକି ରାଜନୀତି ଦଳମାନେ ଲୋକମାନଙ୍କ ସୁବିଧା ସୁଯୋଗକୁ ଯଦି ପ୍ରାଥମିକତା ଦିଅନ୍ତି ତେବେ ରାଜନୀତି କଦାପି କଠିନ କାର୍ଯ୍ୟ ନୁହେଁ ବୋଲି କହିଛନ୍ତି ନବୀନ ।

ଚଳିତ ନିର୍ବାଚନରେ ଅନେକ ଲୋକପ୍ରତିନିଧି ବିଧାନସଭାକୁ ପ୍ରଥମ କରି ନିର୍ବାଚିତ ହୋଇଛନ୍ତି । ସେମାନଙ୍କୁ ନବୀନ ସ୍ୱାଗତ ଜଣାଇ କିଛି ମନ୍ତ୍ର ଦେଇଛନ୍ତି । ଆଉ କହିଛନ୍ତି କି, ସବୁବେଳେ ସରଳ ଜୀବନଯାପନ କରନ୍ତୁ । କାରଣ ଆପଣ ଯେତେ ସରଳ ହେବେ ଲୋକାମନେ ଆପଣଙ୍କର ସେତେ ନିକଟତର ହୋଇପାରିବେ । ତେଣୁ ଆସନ୍ତୁ ସଭିଏଁ ନୂଆ ସରକାର ଏବଂ ନୂଆ ଆଶା ବିଶ୍ୱାସ ନେଇ କଠିନ ପରିଶ୍ରମ କରିବା ଓ ଓଡ଼ିଶାର ବିକାଶ ପାଇଁ ସଂକଳ୍ପ ନେବା ।