୨୯ରେ ପ୍ରଦର୍ଶନୀ ପଡ଼ିଆରେ ଶପଥ ନେବେ ନବୀନ । ବିଧିବଦ୍ଧ ଭାବେ ସମ୍ଭାଳିବେ ପଞ୍ଚମ ପାଳି ।

123

କନକ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ପ୍ରଦର୍ଶନୀ ପଡ଼ିଆରେ ଶପଥ ନେବେ ବିଜେଡି ସ୍ରୁମିମୋ ନବୀନ ପଟ୍ଟନାୟକ । ବୁଧବାର ଦିନ ୧୦.୩୦ ମିନିଟରେ ୫ମ ଥର ପାଇଁ ରାଜ୍ୟର ମଙ୍ଗ ଧରିବେ ବିଜେଡି ବିଧାୟକଦଳ ନେତା ନବୀନ ପଟ୍ଟନାୟକ । ଏନେଇ ଆଜି ରାଜଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନବୀନଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ମଧ୍ୟ ଶପଥ ନେବେ ବୋଲି ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଗତକାଲି ନବୀନ ପଂଚମଥର ପାଇଁ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜୟୀ ୧୧୨ ବିଧାୟକଙ୍କୁ ନେଇ ଗତକାଲି ବିଜେଡି କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ସର୍ବସମ୍ମତିରେ ନବୀନଙ୍କୁ ନେତା ନିର୍ବାଚନ କରାଯାଇଥିଲା । ଏହାପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ବିଜେଡି ସୁପ୍ରିମୋ । ଏହା ପରେ ନବୀନଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ଆଗାମୀ ୨୯ ତାରିଖରେ ଶପଥ ନେବାକୁ ଯାଉଛନ୍ତି ନୂଆ ସରକାର ।

ବିଜେଡିରେ ନବୀନ ସର୍ବମାନ୍ୟ ନେତା । ତାଙ୍କରି ନେତୃତ୍ୱରେ ଦଳ ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି । ତେଣୁ ତାଙ୍କ ନେତା ନିର୍ବାଚନ କରିବା କେବଳ ଏକ ଔପଚାରିକତା ଥିଲା । ସୂଚନା ମୁତାବକ ପ୍ରାୟ ୫ ହଜାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ୫ମ ଥର ପାଇଁ ବିଜେଡି ସରକାରଙ୍କ ଶପଥ ସମାରୋହ ଆୟୋଜିତ ହେବ । ଏହି ଉତ୍ସବରେ ବହୁ ଶିଳ୍ପପତିଙ୍କ ସମେତ ଦେଶର ବଡ ବଡ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଇଡକୋ ଗ୍ରାଉଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ଲାଗିବ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ଇଡକୋ ପ୍ରଦର୍ଶନୀ ପଡିଆର ନିକଟରେ ଥିବା ବଡ ବଡ କୋଠାଗୁଡିକୁ ସୁରକ୍ଷା ଦୃଷ୍ଟିରୁ ନିଜ ଦାୟିତ୍ୱକୁ ନିଆଯିବ ବୋଲି କହିଛନ୍ତି ପୋଲିସ ଡିଜି । ଏହା ସହିତ ଯେପରି ଟ୍ରାଫିକ୍ ସମସ୍ୟା ଦେଖାନଦିଏ, ସେଥିପ୍ରତି ଅଧିକ ପ୍ରାଥମିକତା ଦିଆଯାଇ ସଜାର ରହିବ ବୋଲିସ ।