ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନବୀନ ? ନେତା ଓ ସମର୍ଥକଙ୍କ ଅନୁରୋଧ ପରେ କହିଲେ ବିଚାର କରୁଛି ।

647

କନକ ବ୍ୟୁରୋ: ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଗୋଟି ଚଳାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ ବଦଳାଇବା ନେଇ ସଙ୍କେତ ଦେଇଛନ୍ତି ନବୀନ । ଏନେଇ ନବୀନ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ନେତା, ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ମାନେ ମୋତେ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ନବୀନ । ଏନେଇ ସେ ବିଚାର କରୁଛନ୍ତି ବୋଲି କହିଛନ୍ତି ନବୀନ ।

ବିଜେଡି ଜନ୍ମ ନେବା ପରଠାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ଥର ଲଢ଼ି ବିଜୟ ତିଳକ ପିନ୍ଧି ଆସୁଛନ୍ତି ନବୀନ । କିନ୍ତୁ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି କଡ଼ ଲେଉଟାଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ପଶ୍ଚିମ ଓଡ଼ିଶାକୁ ଶାସକ ଓ ବିରୋଧୀ ଫୋକସରେ ରଖିଛନ୍ତି । ତେଣୁ ପଶ୍ଚିମ ଓଡ଼ିଶାରେ ବିଜେଡି ବିଜୟ ବାନା ଉଡ଼ାଇବାକୁ ନବୀନଙ୍କ ସମର୍ଥକ ଓ ବିଜେଡି ନେତାମାନେ ମନବଳାଇଛନ୍ତି । ସେଥିପାଇଁ ଖୋଦ୍ ବିଜେଡିର ସଭାପତିଙ୍କୁ ଏଠାରୁ ଲଢ଼ିବାକୁ ନିମନ୍ତ୍ରଣ କରିଛନ୍ତି ପଶ୍ଚିମଓଡ଼ିଶାବାସୀ ।

ସେପଟେ ଓଡ଼ିଶରେ ୪ଟି ପର୍ଯ୍ୟାୟ ନିର୍ବାଚନ ହେବାକୁଥିବାବେଳେ ନବୀନଙ୍କ ଏଭଳି ସଂକେତ ବିରୋଧୀ ଶିବିରରେ ଛନକା ପସାଇଥିବା ଚର୍ଚ୍ଚା ହେଉଛି । ଏପରିକି ଯଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢ଼ନ୍ତି ତେବେ ବିରୋଧୀ ଶିବିରରୁ ମଧ୍ୟ ନବୀନଙ୍କୁ ପ୍ରତିଦ୍ୱନ୍ଦୀତା କରିବାକୁ ହେଭିୱେଟଙ୍କୁ ଦେଖିବାକୁ ମିଳିପାରେ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି ।