ଫୋକସରେ ପଞ୍ଚାୟତ ନିର୍ବାଚନ । ଯୁବ ନେତାଙ୍କ ଭରସାରେ ପଞ୍ଚାୟତ ପରୀକ୍ଷା ଦେବ ବିଜେଡି!

373

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ବିଜେଡି ବ୍ରିଗେଡ । ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିନଥିଲେ ମଧ୍ୟ ଏବେଠୁ ପଞ୍ଚାୟତ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲାଣି ଦଳ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳକୁ ଯେଉଁ ଝଟକା ଲାଗିଥିଲା ତାହାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ । ଯେଉଁଥିପାଇଁ ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରି ଦଳ ଏବେଠୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସଂକେତ ଦେଇଛନ୍ତି ଦଳର ମୁଖିଆ ନବୀନ । ଦଳ ପକ୍ଷରୁ ଘୋଷଣା ହୋଇଥିବା ନୂଆ ପର୍ଯ୍ୟବେକ୍ଷକ ତାଲିକାରୁ ଅନେକ ପୁରୁଖାଙ୍କୁ ବାଦ୍ ଦିଆଯାଇଛି । କିନ୍ତୁ ନୂଆ ତାଲିକାରେ ଯୁବ ନେତୃତ୍ୱଙ୍କ କାନ୍ଧରେ ଗୁରୁଦାୟିତ୍ୱ ଦେଇଛନ୍ତି ନବୀନ ।

୩୦ ଜିଲ୍ଲା ପାଇଁ ଘୋଷଣା ହୋଇଥିବା ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ଅଧିକାଂଶ ଯୁବ ନେତାଙ୍କ ଉପରେ ଭରସା କରିଛନ୍ତି ନବୀନ । ଯେଉଁମାନେ ଦଳକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରିବେ । ଅଥାର୍ତ ୟଙ୍ଗ ବ୍ରିଗେଡଙ୍କ ବଳରେ ପଞ୍ଚାୟତ ଫାଇଟ କରିବାକୁ ଯାଉଛି ବିଜେଡି । ଯେଉଁଥିପାଇଁ ଦଳର ଯୁବ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ଚନ୍ଦ୍ରସାରଥୀ ବେହେରା, ସୁଶାନ୍ତ ସିଂଙ୍କ ଭଳି ନେତାଙ୍କୁ ଦଳ ୨ଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବଙ୍କୁ ଦଳ ମୟୂରଭଞ୍ଜ ସହ କେଉଁଝରର ଦାୟିତ୍ୱ ଦେଇଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳ ମୟୂରଭଞ୍ଜରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଯାହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ୨୦୧୯ ନିର୍ବାଚନ ପରେ ଦଳକୁ ତୃଣମୂଳସ୍ତରରେ ସଙ୍ଗଠିତ କରିବା ସହ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରଣବଙ୍କୁ ମୟୂରଭଞ୍ଜର ଦାୟିତ୍ୱ ଦିଆଯାଇଥିଲା । ଏହା ଭିତରେ ୨ ବର୍ଷ ବିତିଛି, ମୟୂରଭଞ୍ଜର ବିଜେଡି ସଙ୍ଗଠନକୁ ସୁଦୃଢ କରିବା ସହ କ୍ରିୟାଶୀଳ କରିବାରେ ପ୍ରଣବ ଜୋର ଲଗାଇ ଦେଇଛନ୍ତି । ପ୍ରଣବଙ୍କ ରଣନୀତି ବଳରେ ଦଳ ଏଠାରେ ଆଗକୁ ବଢୁଛି । ଯେଉଁଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମୟୂରଭଞ୍ଜରେ ବିଜେଡି ନିଜର ସଙ୍ଗଠନକୁ ବିସ୍ତାର କରିବାରେ ସଫଳ ହୋଇଛି । ଆଗକୁ ରହିଛି ପଞ୍ଚାୟତ ନିର୍ବାଚନ ତେଣୁ ଏଭଳିସ୍ଥଳେ ମୟୂରଭଞ୍ଜରେ ଯେପରି ଦଳ ଭଲ ପ୍ରଦର୍ଶନ କରିବ ସେଥିପାଇଁ ସଙ୍ଗଠନର ସମ୍ପାଦକ ପ୍ରଣବ ପ୍ରକାଶଙ୍କ ଉପରେ ଭରସା କରିଛନ୍ତି ଦଳର ସୁପ୍ରିମୋ । ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କେଉଁଝର ଅଞ୍ଚଳର ହୋଇଥିବାରୁ ସେଠାରେ ବିଜେପି ପ୍ରଭାବ ବିସ୍ତାର କରୁଛି । ତେଣୁ କେଉଁଝରରେ ବିଜେପିର ପ୍ରଭାବକୁ ପ୍ରତିହତ କରିବାକୁ ପ୍ରଣବ ଅସ୍ତ୍ର ଛାଡିଛନ୍ତି ନବୀନ ।

ସେହିଭଳି ଅତନୁ, ସୁଶାନ୍ତ ଓ ଚନ୍ଦ୍ର ସାରଥୀଙ୍କୁ ମଧ୍ୟ ଦୁଇଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ଅଥାର୍ତ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ନେତାଙ୍କ ଉପରେ ସଙ୍ଗଠନକୁ ସୁଦୃଢ କରିବାର ଗୁରୁଦାୟିତ୍ୱ ରହିବ ବୋଲି ଚର୍ଚ୍ଚା ହେଉଛି । ଏହାଛଡା ପ୍ରତାପ ଦେବ, ପ୍ରଣବ ବଳବନ୍ତରାୟ, ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ, ତୁଷାରକାନ୍ତି ବେହେରା, ଦିବ୍ୟ ଶଙ୍କର ମିଶ୍ରଙ୍କ ଭଳି ଯୁବନେତାଙ୍କ ଉପରେ ସଙ୍ଗଠନ ଭାର ନ୍ୟସ୍ତ କରିବାକୁ ନବୀନ ନିଷ୍ପତି ନେଇଛନ୍ତି । ଯେଉଁମାନଙ୍କ ଉପରେ ପଞ୍ଚାୟତ ପରୀକ୍ଷାର ବଡ ଦାୟିତ୍ୱ ରହିବ । ବିରୋଧୀଙ୍କ ପ୍ରଭାବକୁ ପ୍ରତିହତ କରିବାକୁ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ପଡିବ ଏକଥାକୁ ବେଶ ଭଲ ଭାବେ ବୁଝିସାରିଛନ୍ତି ନବୀନ ।

ଏହାପୂର୍ବରୁ ୨୦୧୭ ନିର୍ବାଚନ ପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପଞ୍ଚାୟତ ନିର୍ବାଚନରେ ଦଳକୁ ବଡ ଧରଣର ଝଟକା ଲାଗିବା ପରେ ସଙ୍ଗଠନକୁ ସୁଦୃଢ କରିବା ଉପରେ ଫୋକସ କରିଥିଲେ ନବୀନ । ପଞ୍ଚାୟତ ନିର୍ବାଚନ ପରେ ଦଳର ଯୁବ ନେତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ସଙ୍ଗଠନ ଦାୟିତ୍ୱ ଦେଇଥିଲେ ନବୀନ । ଯାହାର ଫଳ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିଥିଲା । ପୁଣିଥରେ ଦଳ ବଡ ବିଜୟ ହାସଲ କରିବା ସହ ଲଗାତାର ପଞ୍ଚମ ଥର ସରକାର ଗଢିବାକୁ ସଫଳ ହୋଇଥିଲା । ତେଣୁ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ସମାନ ଫର୍ମୁଲା ଆପଣାଇବାକୁ ଯୋଜନା କରିଥାଇପାରନ୍ତି ନବୀନ । ୨୦୧୪ ନିର୍ବାଚନ ପରେ ସଙ୍ଗଠନ ଉପରେ ଦୃଷ୍ଟି ନ ଦେଇ ଦଳ ଯେଉଁ ଭୁଲ କରିଥିଲା ତାହାର ପରିଣାମ ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳକୁ ଭୋଗିବାକୁ ପଡିଥିଲା । ତେଣୁ ପୁଣିଥରେ ସେହି ଭୁଲକୁ ଦୋହରାଇବାକୁ ଚାହିଁବେ ନାହିଁ ନବୀନ । କରୋନା ପାଇଁ ଏବେ ରାଜନୈତିକ ଦଳ ଗୁଡିକର ସଙ୍ଗଠାନିକ କାର୍ଯ୍ୟକ୍ରମରେ ଶିଥିଳତା ଦେଖିବାକୁ ମିଳିଛି ।  କିନ୍ତୁ ଏବେ କରୋନା ସଂକ୍ରମଣର ଗ୍ରାଫ୍ ଖସିବା ଆରମ୍ଭ କରିଛି । ତେଣୁ ବିରୋଧୀ କ୍ୟାମ୍ପ ସକ୍ରିୟ ହେବା ପୂର୍ବରୁ ଆଗୁଆ ସଙ୍ଗଠନକୁ ସୁଦୃଢ କରିବାକୁ ନବୀନ ଏହି ବଡ ନିଷ୍ପତି ନେଇଛନ୍ତି ।