ଆଗାମୀ ନିର୍ବାଚନରେ ମହିଳାଙ୍କୁ କେମିତି ୩୩ ପ୍ରତିଶତ ସଂରକ୍ଷଣ ଦେବ ବିଜେଡି ? ୪୯ ଆସନରେ ମହିଳାଙ୍କୁ ପ୍ରାର୍ଥୀ କଲେ ବଢିପାରେ ଅସନ୍ତୋଷ ।

75

କନକ ବ୍ୟୁରୋ: ମହିଳା ଭୋଟ୍ ନମିଳିଲେ ନିର୍ବାଚନ ଜିତିହେବ ନାହିଁ । ଏକଥା ଉଣା ଅଧିକେ ବୁଝିଛନ୍ତି ରାଜନୈତିକ ଦଳ । ବିଜେଡି ବାରମ୍ବାର ୩୩ ପ୍ରତିଶତ ମହିଳା ଆସନ କଥା କହି ରାଜନୀତିରେ ମହିଳାଙ୍କ ଭାଗିଦାରୀକୁ ପ୍ରମାଣ କରି ଆସିଛି । ୨୪ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ୩୩ ପ୍ରତିଶତ ସିଟ୍ ଫର୍ମୁଲା କଥା କହି ଆସୁଛି ବିଜେଡି ।କିଏ ପାଇବ କେଉଁ ଆସନ ଏହାକୁ ନେଇ ସମୀକରଣ ନଛିଣ୍ଡୁଥିବା ଚର୍ଚ୍ଚା ସାମ୍ନାକୁ ଆସିଛି ।

୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦେଇ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନରେ ବି ୨୧ ଆସନରୁ ୭ ମହିଳା ପ୍ରାର୍ଥୀ ଦେବା ପାଇଁ ଚୂଡାନ୍ତ ହୋଇସାରିଛି । ଏପରିକି କିଏ କେଉଁ ଜାଗାରେ ପ୍ରାର୍ଥୀ ହେବେ ତାର ନିଷ୍ପତି ମଧ୍ୟ ନବୀନ ନେଇ ସାରିଥିବା କୁହାଯାଉଛି ।
ସବୁବେଳେ ମହିଳା ସଶକ୍ତିକରଣର ବାର୍ତା ଦେଉଥିବା ବିଜେଡି, ଚଳିତ ନିର୍ବାଚନରେ ବିଧାନସଭା ଆସନ ପାଇଁ ୩୩ ପ୍ରତିଶତ ଅର୍ଥାତ ୧୪୭ଟି ଆସନରୁ ୪୯ଟିରେ ମହିଳା ପ୍ରାର୍ଥୀ ଦେବ କି । ଯାହାକୁ ନେଇ କ୍ଷମତା କେନ୍ଦ୍ର ଜୋରଦାର କସରତ କରୁଥିବା କୁହାଯାଉଛି । ଯଦି ୪୯ ସିଟରେ ମହିଳା ପ୍ରାର୍ଥୀ ଦେବା ସମ୍ଭବ ନହୁଏ ତେବେ ବିଜେଡି ବିକଳ୍ପ ରଣନୀତି ମଧ୍ୟ ପ୍ରସ୍ତୁତ କରୁଥିବା କୁହାଯାଉଛି । ବିଜେଡି ମହଲରେ ଏପରି ଚର୍ଚ୍ଚା ହେଉଛି, ଯଦି ୪୯ଟି ଆସନରେ ମହିଳା ପ୍ରାର୍ଥୀ ଦେବା ସମ୍ଭବ ନହୁଏ ତେବେ ପ୍ରତ୍ୟେକ ଜିଲ୍ଲାରୁ ମହିଳା ପ୍ରତିନିଧିତ୍ୱଙ୍କୁ ସୁଯୋଗ ଦିଆଯାଇପାରେ ଅର୍ଥାତ ୩୦ଜିଲ୍ଲାର ୩୦ଟି ବିଧାନସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ଦଳ।

୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଅଧିକରୁ ଅଧିକ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଥିଲା । ଏପରିକି ମହିଳା ସଂରକ୍ଷଣ ବିଲକୁ ନେଇ ଦେଶରେ ବଡ କ୍ୟାମ୍ପନ କରିଥିଲା ବିଜେଡି । ଏବେ ବିଜେଡି କହିଛି ନବୀନ ପଟ୍ଟନାୟକ ନିର୍ବାଚନଠାରୁ ଆରମ୍ଭ କରି ସାମାଜିକ କ୍ଷେତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଏଥର କ’ଣ ହେଉଛି ତା’ ଉପରେ ସମସ୍ତଙ୍କ ନଜର ।