ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡିର ଅଭୁତପୂର୍ବ ସମରସଜ୍ଜା । ପ୍ରତି ପଞ୍ଚାୟତ ଜଗିବେ ମନ୍ତ୍ରୀ ଓ ବିଧାୟକ

150

କନକ ବ୍ୟୁରୋ: ବ୍ରଜରାଜନଗରରେ ବିରୋଧୀଙ୍କୁ ଚକମା ଦେବା ପାଇଁ ବିଜେଡିର ସମରସଜ୍ଜା । ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ନେତା ଛାଇ ଯିବା ପାଇଁ ବଡ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତକୁ ଜଗିବେ ମନ୍ତ୍ରୀ ଓ ବିଧାୟକ । ତେବେ ଉପନିର୍ବାଚନରେ ରାଜ୍ୟ ସରକାରଙ୍କ ମାଳମାଳ ମନ୍ତ୍ରୀ , ସାଂସଦ, ବିଧାୟକ ଡେରା ପକାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

  • ବ୍ରଜରାଜନଗର ପାଇଁ ବିଜେଡିର ସମରସଜ୍ଜା
  • ପ୍ରତି ପଞ୍ଚାୟତ ଜଗିବେ ମନ୍ତ୍ରୀ ଓ ବିଧାୟକ

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନିର୍ବାଚନ ମଣ୍ଡଳୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିଛି ଶାସକ ଦଳ ବିଜେଡି । ଉପନିର୍ବାଚନରେ ବିରୋଧୀଙ୍କୁ ଚକମା ଦେବା ପାଇଁ ପୂରା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ନେତା ଛାଇ ଯିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଏଥିପାଇଁ ବିଭିନ୍ନ ଟିମ୍ ଗଠନ କରି ମଇଦାନ ଜଗିବାକୁ ଦାୟିତ୍ୱ ଦେଇଛି ଦଳ । କେନ୍ଦ୍ରୀୟ ଟିମରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ବିଧାୟକ ଦେବୀ ପ୍ରସାଦ ମିଶ୍ର ରହିଛନ୍ତି । ସେହିପରି ପୂରା ନିର୍ବାଚନମଣ୍ଡଳୀର ଦାୟିତ୍ୱରେ ରହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ପର୍ଯ୍ୟବେକ୍ଷକ ଭାବେ କଟକ ମେୟର ସୁବାସ ସିଂ ଓ ସହ-ପର୍ଯ୍ୟବେକ୍ଷକ ଭାବେ ବିଷ୍ଣୁପ୍ରସାଦ କେଡିଆଙ୍କୁ ଦାୟିତ୍ୱ ଦିଆଯାଇଛି ।

  • ଝାରସୁଗୁଡା ଜୋନ ୧ ରେ ଥିବା ୫ଟି ଗ୍ରାମପଞ୍ଚାୟତ ପାଇଁ ତିନି ଜଣ ନେତାଙ୍କୁ ନିୟୋଜିତ କରିଛି ବିଜେଡି
  • ରାଜପୁର ଓ ଲୋଇସିଂହା ପଞ୍ଚାୟତ ପାଇଁ ସାଂସଦ ସୁଜିତ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି
  • ନଳିନୀ ପ୍ରଧାନଙ୍କୁ ଗୌଡମାଳ ଓ ଚାନ୍ଦନିମାଲ ଗ୍ରାମପଞ୍ଚାୟତ ଦାୟିତ୍ୱ ଦିଆଯାଇଛି
  • ବ୍ରଜରାଜନଗର ମ୍ୟୁନସିପାଲିଟି ପାଇଁ ମନ୍ତ୍ରୀ ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା, ଦେବେଶ ଆଚାର୍ଯ୍ୟ, ବିଶ୍ୱନାଥ ନାଏକ, ଜୟନ୍ତ ଦୀକ୍ଷିତଙ୍କୁ ଦାୟିତ୍ୱ ଦେଇଛି ଦଳ
  • ବେଲପାହାଡ ମୁନସିପାଲଟି ପାଇଁ ମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅନ୍ୟ ୫ ନେତା ରହିଛନ୍ତି
  • କେବଳ ଏତିକି ନୁହଁନ୍ତି ମନ୍ତ୍ରୀ ଦିିବ୍ୟଶଙ୍କର ମିଶ୍ର, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପ୍ରୀତିରଞ୍ଜନ ଘଡେଇଙ୍କୁ ମଧ୍ୟ ବିଭିନ୍ନ ପଂଚାୟତ ଦାୟିତ୍ୱ ଦିଆଯାଇଛି

ଦିବଙ୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଜିତାଇବା ପାଇଁ ବିଜେଡିର ଏଭଳି ସମରାସଜ୍ଜାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୋଟିଏ ଉପନିର୍ବାଚନରେ ରାଜ୍ୟ ସରକାରଙ୍କ ମାଳମାଳ ମନ୍ତ୍ରୀ , ସାଂସଦ, ବିଧାୟକ ଡେରା ପକାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପଟେ ନିଜ ଗାଁ ଲଖନପୁର ବ୍ଲକ ଧୁଲୁଣ୍ଡାରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ଗ୍ରାମର କୂଳଦେବୀଙ୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ମୈଦାନକୁ ଓହ୍ଲାଇଛନ୍ତି ବିଜେପି ପ୍ରାର୍ଥୀ ।

ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନରେ ବ୍ରଜରାଜନଗର ଆସନରେ ପ୍ରାର୍ଥୀ ଦେଇନଥିବା କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶୋର ପଟେଲ କିଛି ସମର୍ଥକଙ୍କ ସହ ବୁଲି ବୁଲି ଲୋକଙ୍କ ପାଖକୁ ଯାଉଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ବ୍ରଜରାଜନଗର ଉପନିର୍ବାଚନ ସମସ୍ତ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।