ବିଜେଡି ଟାର୍ଗେଟରେ ବାଲେଶ୍ୱର ସଦର ଆସନ । ବିଜେଡିର ନୂଆ ଚେହେରା ସ୍ୱରୂପ କୁମାର ଦାଶ । ସିଟ୍ ହାତେଇବା ଲକ୍ଷ୍ୟରେ ବିଜେଡି କରୁଛି ରଣନୀତି । 

308

କନକ ବ୍ୟୁରୋ : ସରଗରମ ହେଉଛି ଉପନିର୍ବାଚନ ରାଜନୀତି । ଦୁଇଟି ସିଟ୍ ଅକ୍ତିଆର ପାଇଁ ଦଳମାନଙ୍କ ମଧ୍ୟରେ ଚାଲିଛି ଜୋରଦାର ଅଙ୍କକଷା । ଉପନିର୍ବାଚନରେ କିଏ ମାରିବ ବାଜି, ତାହା ଉପରେ ପୂରା ରାଜ୍ୟର ନଜର । ୨୦୧୯ ବିଧାନସଭା ନିର୍ବାଚନରେ ବାଲେଶ୍ୱରର ସଦରରେ ବାଜି ମରିଥିଲା ଭାରତୀୟ ଜନତା ପାର୍ଟି । ବିଜେଡି ହାତରୁ ଏହି ଆସନ ଛଡାଇନେଇଥିଲା ବିଜେପି । ତେବେ ଏହି ଆସନରେ ପୂର୍ବରୁ ସବୁଜ ବାନା ଉଡାଇ ଆସୁଥିବା ବିଜେଡି ପୁଣିଥରେ ଏହି ସିଟକୁ ହାତେଇବାକୁ କରୁଛି ମାଷ୍ଟରପ୍ଲାନ ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିର ଜୀବନ ପ୍ରଦୀପ ଦାଶଙ୍କୁ ହରାଇ ବିଜୟୀ ହୋଇଥିଲେ ବିଜେପିର ମଦନ ମୋହନ ଦତ୍ତ । ହେଲେ ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏବେ ଉପବନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଯୁଦ୍ଧ ପାଇଁ ନିର୍ବାଚନୀ ଋଣକ୍ଷେତ୍ରକୁ ପ୍ରତି ଦଳର ସିପାହୀ ମଧ୍ୟ ଓହ୍ଲାଇ ସାରିଛନ୍ତି ।  ବିଜେପି ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ମୈଦାନକୁ ଓହ୍ଲାଇବା ସହ ଅନୁକମ୍ପାର କାର୍ଡ ଖେଳି ପୁଣିଥରେ ନିଜ ଗଡ ବଞ୍ଚାଇବାକୁ ଗୋଟି ଚାଳନା କରିଛି । ଆଉ ଅନ୍ୟପଟେ ବିଜେପିକୁ ମାତ୍ ଦେବାକୁ ବିଜେଡି ଜୀବନଙ୍କ ବଦଳରେ ନୂଆ ମୁହଁ ସ୍ୱରୂପଙ୍କ ଉପରେ ଭରସା କରିଛି । ସେହିଭଳି କଂଗ୍ରେସ ଏହି ଆସନ ହାତେଇବାକୁ ଖେଳିଛି ମହିଳା କାର୍ଡ । ଦଳ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରି ମହିଳାଙ୍କ ଭୋଟ ସହ ବାଲେଶ୍ୱର ଆସନରେ ବିଜୟୀ ଟିକା ପିନ୍ଧିବାକୁ ରଣନୀତି କରିଛି ।

ବାଲେଶ୍ୱର ସଦର ଆସନରେ ବିଜେଡିର ବରିଷ୍ଠ ତଥା ଅଭିଜ୍ଞ ସିପାହୀ ହେଉଛନ୍ତି ଜୀବନ ପ୍ରଦୀପ ଦାସ  । ୩ ଥରର ବିଧାୟକ । କିନ୍ତୁ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ପୁଣିଥରେ ଶାସନ କ୍ଷମତାକୁ ଫେରିଥିଲେ ମଧ୍ୟ ବାଲେଶ୍ୱର ସଦର ଆସନରେ ମାତ୍ ଖାଇଥିଲେ ଜୀବନ । ଲଗାତାର ୨ ଥର ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ ମଧ୍ୟ ୨୦୧୯ରେ ଭୋଟରଙ୍କ ଭରସା ଜିତିବାରେ ସକ୍ଷମ ହୋଇନଥିଲେ ଜୀବନ । ଯାହାଫଳରେ ବିଜେଡି ହାତରୁ ଖସି ଯାଇଥିଲା ବାଲେଶ୍ୱର ସଦର ଆସନ । ନିର୍ବାଚନୀ ମୈଦାନରେ ବାଜି ମାରି ନେଇଥିଲେ ବିଜେପିର ମଦନମୋହନ ।  ତେବେ ଉପନିର୍ବାଚନରେ ମଦନଙ୍କ ପୁଅକୁ ବିଜେପି ପ୍ରାର୍ଥୀ କରିଥିବାରୁ ଅନୁକମ୍ପା ଭୋଟ ପଦ୍ମ ପୋଖରୀ ଆଡକୁ ଭାସିଯିବାର ଯଥେଷ୍ଟ ସୁଯୋଗ ରହିଛି । ତେଣୁ ବିଜେପିର ଏହି ରଣନୀତିକୁ ଭେଦ କରିବାକୁ ଯାଇ ବିଜେଡି ପୁଣିଥରେ ନିଜର ପରାଜିତ ସିପାହୀଙ୍କୁ ମୈଦାନକୁ ନ ଛାଡି ନୂଆ ସିପାହୀ ଭାବେ ସ୍ୱରୂପଙ୍କୁ ସାମ୍ନାକୁ ଆଣିଛି ।

ସ୍ୱରୂପ ଦାଶ ହେଉଛନ୍ତି ବାଲେଶ୍ୱର ପୂର୍ବତନ ନଗରପାଳ ଦିବଙ୍ଗତ ଅନୁପ ଦାଶଙ୍କ ଭାଇ । ଏପରିକି ନବୀନଙ୍କ ଏହି ନୂଆ ସିପାହୀ ପୂର୍ବରୁ କାଉନସିଲର ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ବାଲେଶ୍ୱର ସଦର ଆସନରେ ସ୍ୱରୂପଙ୍କ ଯଥେଷ୍ଟ ଲୋକପ୍ରିୟତା ରହିଥିବା ବେଳେ ବଡ ସଙ୍ଗଠନ ମଧ୍ୟ ରହିଛି । ଏହାଛଡା ସ୍ୱରୂପ ର୍ନିବିବାଦୀୟ ଚେହେରା ହୋଇଥିବାରୁ ଭୋଟରଙ୍କ ମଧ୍ୟରେ ଖୁବଶୀଘ୍ର ଗ୍ରହଣୀୟ ହୋଇପାରନ୍ତି । ତେଣୁ ସେହି ବିଶ୍ୱାସ ଓ ଭରସାକୁ ପାଥେୟ କରି ସଦର ସମର ପାଇଁ ସ୍ୱରୂପଙ୍କୁ ମୈଦାନକୁ ଛାଡିଛନ୍ତି ବିଜେଡି ସୁପ୍ରିମୋ । ତେଣୁ ନବୀନଙ୍କ ବିଶ୍ୱାସ ଓ ଲୋକପ୍ର୍ରିୟତାକୁ ସ୍ୱରୁପ କିଭଳି ଭୋଟରେ ରୂପାନ୍ତରିତ କରିପାରୁଛନ୍ତି ତାହା ଉପରେ ରହିବ ସମସ୍ତଙ୍କର ନଜର ।