ପଶ୍ଚିମ ଓଡିଶାରେ ବିଜେଡିର ଦବଦବା: ବଡ ଚେହେରା ଥାଇ ବି ଗଡ଼ ରକ୍ଷା କରିପାରିଲାନି ବିଜେପି

192

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ୮ଟି ସଂସଦୀୟ କ୍ଷେତ୍ରରେ ବିଜେପି ବିଜୟବାନା ଉଡାଇଥିଲା । କିନ୍ତୁ ପାଖାପଖି ୩ ବର୍ଷ ଭିତରେ ସବୁ କିଛି ଓଲଟପାଲଟ ହୋଇଯାଇଛି । ପଂଚାୟତ ଫଳାଫଳରେ ବିଜେପି ସାଂସଦମାନେ ନିଜ ଅଂଚଳରେ ବି ପତିଆରା ଦେଖାଇପାରିନାହାନ୍ତି

ସୁନ୍ଦରଗଡ, ବରଗଡ,ସମ୍ବଲପୁର, ବଲାଙ୍ଗୀର, କଳହାଣ୍ଡି, ବାଲେଶ୍ୱର, ଭୁବନେଶ୍ୱର ଓ ମୟୁରଭଞ୍ଜ । ଇଏ ହେଉଛି ସେହି ୮ଟି ଲୋକସଭା ଆସନ ଯେଉଁଠି ବିଜେଡିର ପ୍ରଚଣ୍ଡ ହାୱା ସତ୍ୱେ ବିଜେପି ବିଜୟ ଲାଭ କରିଥିଲା । କିନ୍ତୁ ଏହି ପଂଚାୟତ ନିର୍ବାଚନରେ ସାଂସଦଙ୍କ ସମ୍ମାନ ଧୂଳିସାତ ହୋଇଛି । ପଶ୍ଚିମ ଓଡିଶାରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନୀତେଶ ଗଙ୍ଗଦେବ, ସଙ୍ଗୀତା ସିଂହଦେଓ ନିଜ ନିଜ ଅଂଚଳରେ ବିଜେପିକୁ ଜିତାଇପାରିନାହାନ୍ତି ।

୨୦୧୭ ନିର୍ବାଚନରେ ପଶ୍ଚିମର ୧୦ଟି ଜିଲ୍ଲା ମଧ୍ୟରୁ ୬ଟି ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେପି । ଯାହା ପରେ ସଂସଦୀୟ ନିର୍ବାଚନରେ ବିଜେପି ଜିତିବାରେ ସହାୟକ ହୋଇଥିଲା । କିନ୍ତୁ ଏଥ୍ର ଭୋଟରଙ୍କ ମୁଡ ବଦଳିଯାଇଛି । ବିଜେଡି ଜୋରଦାର ପ୍ରତ୍ୟାବର୍ତନ କରିଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭଳି ବିଜେପିର ବଡ ନେତାଙ୍କ ମଧ୍ୟ ଯାଦୁ ଚାଲିପାରିନାହିଁ । ୩୬ ଆସନ ବିଶିଷ୍ଟ ସୁନ୍ଦରଗଡ ଜିଲ୍ଲାରେ ଗତଥର ଝୁଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥର ବିଜେଡି ବହୁ ଆଗରେ ଅଛି । ୨୦୧୭ରେ ମୟୁରଭଞ୍ଜରେ ୫୬ ଜିଲ୍ଲା ପରିଷଦ ଆସନରୁ ବିଜେପି ୪୯ ଆସନ ଜିତିଥିଲା । କିନ୍ତୁ ଏଥର ଅଙ୍କ ଓଲଟପାଲଟ ହୋଇଯାଇଛି । ଲୋକେ ବିଜେଡି ଉପରେ ଭରସା କରିଛନ୍ତି । ଖୋର୍ଧା ଓ ବାଲେଶ୍ୱରରେ ଅପରାଜିତା ଷଡଙ୍ଗୀ ଓ ପ୍ରତାପ ଷଡଙ୍ଗୀଙ୍କ ବି ସେହି ଅବସ୍ଥା । ଲୋକେ ବିଜେପି ଉପରେ ନୁହେଁ ବିଜେଡି ଉପରେ ଭରସା କରିଛନ୍ତିି ।