ଅସନ୍ତୁଷ୍ଟଙ୍କୁ ମନେଇବାକୁ ରାୟଗଡାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଜିଲ୍ଲାସ୍ତରୀୟ ନେତାଙ୍କ ସହ କଲେ ବୈଠକ

126

କନକ ବ୍ୟୁରୋ: ରାୟଗଡା ଜିଲ୍ଲାରେ ବିଜେଡିର ଦୁଇ ଟାଣୁଆ ନେତା । ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ଓ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ରୁଦ୍ଧଦ୍ୱାର ବୈଠକକୁ ନେଇ ଏବେ ରାୟଗଡା ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି । ସାଧାରଣ ନିର୍ବାଚନ ଆଗରୁ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଏକାଠି କରିବା ପାଇଁ ଏହି ବୈଠକ ବସିଛି । ଭାସ୍କର ରାଓ ଓ ସୁଧୀର ଦାସଙ୍କ ମଧ୍ୟରେ ଥିବା ମନାନ୍ତରରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ରାୟଗଡା ପର୍ଯ୍ୟବେକ୍ଷକ ଓ ବିଜେଡିର ସାଙ୍ଗଠନିକ ସଂପାଦକ ରାୟଗଡା ଆସିଥିବା କୁହାଯାଉଛି । କାରଣ ଦଳର ଗୋଷ୍ଠୀ କନ୍ଦଳ ଆଗାମୀ ନିର୍ବାଚନ ସମୟରେ କଂଟା ହୋଇପାରେ । ତେଣୁ ବେଳ ଥାଉଥାଉ ତାକୁ ଦୂର କରିବା ପାଇଁ ନେତାଏ ପ୍ରୟାସ କରିଛନ୍ତି ।

ଏକ ଶିବିରରେ ଜିଲ୍ଲାର ସମସ୍ତ ନେତା ଓ କର୍ମୀଙ୍କୁ ଏକାଠି ବସାଇ ବେଶ କିଛି ସମୟ ଧରି ଆଲୋଚନା କରିଛନ୍ତି । ହେଲିକପ୍ଟର ଯୋଗେ ରାୟଗଡାରେ ପହଂଚିବା ପରେ ସର୍କିଟ ହାଉସରେ ନେତା ଓ କର୍ମୀଙ୍କୁ ନେଇ ଆଲୋଚନା କରିଛନ୍ତି ବିଜେଡିର ଦୁଇ ଟାଣୁଆ ନେତା । ଏହି ବୈଠକରେ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଜେଡି ସଭାପତି ସୁଧିର କୁମାର ଦାସ, ପୂର୍ବତନ ସାଂସଦ ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଭଳି ଅନେକ ନେତା ଓ କର୍ମୀ ଉପସ୍ଥିତି ଥିଲେ । ତେବେ ସର୍କିଟ୍ ହାଉସ ବୈଠକରେ ଗୋଷ୍ଠୀ କନ୍ଦଳକୁ ନେଇ ଆଲୋଚନା କରିବା ପରେ ଜିଲ୍ଲା ଯୋଜନା କମିଟି ବୈଠକକୁ ଯାଇଥିଲେ ମନ୍ତ୍ରୀ ଓ ବିଜେଡି ସାଂଗଠନିକ ସଂପାଦକ । ତେବେ ଏହି ଆଲୋଚନାରେ ଦଳୀୟ କନ୍ଦଳକୁ ନେଇ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଆସନ୍ତା ୭ ତାରିଖରେ ଫାଇଭ୍-ଟି ସଚିବଙ୍କ ଗସ୍ତ ସଂପର୍କରେ ଆଲୋଚନା କରାଯାଇଥିବା ଜଣାପଡିଛି ।