କନକ ବ୍ୟୁରୋ : ଆଇଏଏଏସ୍ କ୍ୟାଡର ରୁଲରେ ପରିବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି ବିଜେଡି । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚାଲିଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, ସବୁ ରାଜ୍ୟ ଏକାଠି ହୋଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ଦରକାର । ପ୍ରଧାନମନ୍ତ୍ରୀଙ୍କୁ ଏ ନିଷ୍ପତି ଉପରେ ପୁର୍ନବିଚାର କରିବାକୁ ସେ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ଆଇନ ବଳରେ ଜଣେ ଆଇଏଏସ୍ ଅଫିସରଙ୍କ ନିଜ ଇଛା ମୁତାତକ କେନ୍ଦ୍ରୀୟ ଡେପୁଟେସନରେ ଡାକିପାରିବେ ଏବଂ ଅନ୍ୟ କୌଣସି ପଦବୀରେ ଅଧିଷ୍ଠିତ କରିପାରିବେ । ଯାହା ସଙ୍ଘୀୟ ବ୍ୟବସ୍ଥା ପ୍ରତି ଭୟ ସୃଷ୍ଟି କରିବ ।

Advertisment

ନିୟମ ଅନୁସାରେ, ବିଭିନ୍ନ ରାଜ୍ୟରେ କାମ କରୁଥିବା ଆଇଏଏସ ଅଫିସରଙ୍କୁ କେନ୍ଦ୍ର ଚାହିଁଲେ ଯେକୌଣସି ସମୟରେ ଡେପୁଟେସନରେ ନେଇପାରିବେ । ଏଭଳି କ୍ଷମତା ହାସଲ କରିବାକୁ କେନ୍ଦ୍ର ସରକାର ଆଇଏଏସ କ୍ୟାଡର ନିୟମ, ୧୯୫୪ରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହାକୁ ନେଇ ବିରୋଧ ବଢିବାରେ ଲାଗିଛି । ଅଣବିଜେପି ଶାସିତ ରାଜ୍ୟଗୁଡିକ ଏହାକୁ ଜୋରଦାର ବିରୋଧ କରିଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଝାଡଖଣ୍ଡ, ତେଲେଙ୍ଗାନା, ମହାରାଷ୍ଟ୍ର ପରେ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଏହାକୁ ଜୋରଦାର ବିରୋଧ କରିଛନ୍ତି । ଏହାଦ୍ୱାରା ସଂଘୀୟ ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ନିୟମ ଅନୁସାରେ, କେନ୍ଦ୍ର ସରକାର କୌଣସି ଅଧିକାରୀ ନିଯୁକ୍ତି ଦେଲେ, ରାଜ୍ୟ ତାଙ୍କୁ ଦାୟିତ୍ୱରୁ ମୁକ୍ତ କରିବ । ରାଜ୍ୟ କ୍ୟାଡରରେ ଥିବା ଅଧିକାରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ଡେପୁଟେସନରେ ରହିବେ । ରାଜ୍ୟ ଏ ବାବଦରେ ନିୟମିତ ତାଲିକା ପ୍ରସ୍ତୁତ କରିବ । କୌଣସି କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଏ ନେଇ ବିଚାର ହେଲେ ଏହି ମାମଲାରେ କେନ୍ଦ୍ର ସରକାର ବିଚାର କରିବେ । ଆଉ ସଂପୃକ୍ତ ରାଜ୍ୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଷ୍ପତି କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେବେ । ଅର୍ଥାତ ସରଳ ଭାବରେ କହିବାକୁ ଗଲେ ନିୟମରେ ପରିବର୍ତନ ହେଲେ ରାଜ୍ୟ ସରକାରଙ୍କ ଭୂମିକା ଗୌଣ ହୋଇଯିବ । କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନକୁ ପ୍ରଶାସନିକ ଅଧିକାରୀମାନେ ଆସିଯିବେ ।