ବିଜେଡିରେ JMMର ପୂର୍ବତନ ରାଜ୍ୟ ସଭାପତି ଓ ଉପସଭାପତି ସାମିଲ୍

86

କନକ ବ୍ୟୁରୋ : ବିଜେଡିର ମାରାଥନ ମିଶ୍ରଣ ପର୍ବ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ ଓ ଜେଏମଏମର ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ ବିଜେଡିରେ ଯୋଗ ଦେଇଛନ୍ତି । ଉଭୟଙ୍କ ସହିତ ଅନ୍ୟ ନେତା ଓ କର୍ମୀ ବି ସାମିଲ ହୋଇଛନ୍ତି । ୨୦୦୯ ଓ ୨୦୧୪ ରେ ଜଶିପୁରରୁ ଜେଏମଏମର ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମହେଶ ହେମ୍ବ୍ରମ । ୨୦୧୯ରେ ସେ ସାରସକଣାରୁ ପ୍ରତିଦ୍ବନ୍ଦିତା କରିଥିଲେ। ରାମଚନ୍ଦ୍ର ମୁର୍ମୁ ୨୦୧୯ରେ ଜେଏମଏମ୍ ଟିକଟରେ ରାଇରଙ୍ଗପୁରରୁ ବିଧାନସଭା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ଏହି ଦୁଇ ଜଣଙ୍କ ବ୍ୟତୀତ ସଧାରଣ ସମ୍ପାଦକ ଗୋବିନ୍ଦ ସୋରେନ ଓ କୁସୁମୀ ବ୍ଲକର ଅଧ୍ୟକ୍ଷା ଚନ୍ଦ୍ରିକା ଟୁଡୁ ବି ବିଜେଡିରେ ସାମିଲ ହୋଇଛନ୍ତି। ଏହାଛଡ଼ା ବହୁ ସଂଖ୍ୟାରେ ଜେଏମଏମର ତୃଣମୂଳ ନେତା ବିଜେଡିର ସାମିଲ ହୋଇଛନ୍ତି । ବିଜେଡି କାର୍ଯ୍ୟାଳୟରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଦେବାଶିଷ ମାରାଣ୍ଡି ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।