ଶପଥ ନେବେ ସୁପ୍ରିମୋ । ଯୋଗଦେବେ ସମସ୍ତ ନିର୍ବାଚିତ ବିଧାୟକ ଓ ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶାର ଶିଳ୍ପପତିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ।

595

କନକ ବ୍ୟୁରୋ: ବିଧାନସଭା ନିର୍ବାଚନରେ ବିଜେଡିର ବଡ ବିଜୟ ହୋଇଛି । ଲଗାତାର ପଂଚମ ଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପ୍ରଦର୍ଶନୀ ପଡିଆରେ ବୁଧବାର ଶପଥଗ୍ରହଣ ଉତ୍ସବ ହେବ । ଏଥିପାଇଁ ସଜବାଜ ଚାଲିଛି । ବୁଧବାର ସକାଳ ସାଢେ ୧୦ଟାରେ ଶପଥଗ୍ରହଣ ଉତ୍ସବ ହେବ । ମିଳିଥିବା ସୂଚନା ମୁତାବକ ଏହି ଶପଥ ସମାରୋହ ଉତ୍ସବରେ ସମସ୍ତ ରାଜ୍ୟସଭା , ଲୋକସଭା ସାଂସଦ ଓ ବିଧାୟକକୁ ନିମନ୍ତ୍ରଣ କରାଯାଇଛି ।

ଏହାସହ ନବୀନଙ୍କ ପଞ୍ଚମ ପାଳିର ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି । ସେହିପରି ସମସ୍ତ ପଞ୍ଜୀକୃତ ରାଜନୈତିକ ଦଳର ମୁଖ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ରାଜ୍ୟର ଶିଳ୍ପପତିଙ୍କୁ ନିମନ୍ତ୍ରଣ କରାଯାଇଛି । ବିଶେଷକରି ଯେଉଁମାନେ ରାଜ୍ୟର ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି, ସେହି ଶିଳ୍ପର ମୁଖିଆମାନଙ୍କୁ ଏହି ଶପଥଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯାଇଛି ।

ବିଜେଡିରେ ନବୀନ ସର୍ବମାନ୍ୟ ନେତା । ତାଙ୍କରି ନେତୃତ୍ୱରେ ଦଳ ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି । ତେଣୁ ତାଙ୍କ ନେତା ନିର୍ବାଚନ କରିବା କେବଳ ଏକ ଔପଚାରିକତା ଥିଲା । ସୂଚନା ମୁତାବକ ପ୍ରାୟ ୫ ହଜାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ୫ମ ଥର ପାଇଁ ବିଜେଡି ସରକାରଙ୍କ ଶପଥ ସମାରୋହ ଆୟୋଜିତ ହେବ ।