ପେଗାସସ୍ ସ୍ପାଏୱେର ମାମଲାରେ ସରକାରକୁ ଘେରିବାକୁ ଏକାଠି ବିରୋଧୀ । ୧୪ ବିରୋଧୀ ଦଳ ସହ ଆଲୋଚନା କଲେ ରାହୁଲ । ବିରୋଧୀ ଟିମରେ ନାହିଁ ବିଜେଡି ।

135

କନକ ବ୍ୟୁରୋ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ମୋଦି ସରକାରଙ୍କୁ ଘେରିବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ  । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୪ଟି ବିରୋଧୀ ଦଳର ନେତା ବସି ସଂସଦରେ ଆଗାମୀ ରଣନୀତି କ’ଣ ହେବ ସେନେଇ ଆଲୋଚନା କରିଛନ୍ତି ।  ତେବେ ବିରୋଧୀଙ୍କ ଏହି ବୈଠକରେ ବିଜେଡି ସାମିଲ ହୋଇନାହିଁ , ଯାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ସବୁବେଳେ  କଂଗ୍ରେସ ଓ ବିଜେପିଠାରୁ  ସମଦୂରତ୍ୱ ରଖୁଥିବା  କଥା କହୁଥିବା ବିଜେଡିର ଏହି ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପେଗାସସ୍ ସ୍ପାଏୱେର ଜରିଆରେ ମୋବାଇଲ ଫୋନ ଗୁଇନ୍ଦାଗିରି ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ  । ମାମଲାରେ ଯୁଗ୍ମ ସଂସଦୀୟ କମଟି ଦ୍ୱାରା ତଦନ୍ତ କରାଇବା ପାଇଁ ବିରୋଧୀ ଦାବି କରିଛନ୍ତି  । ସଂସଦର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା କରିବା ସହିତ ଗୃହକୁୁ ଅଚଳ କରିଦେଇଥିଲେ  । ଲୋକସଭାରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦେଇଥିଲା କଂଗ୍ରେସ  ।

ରାଜ୍ୟସଭାରେ ମଧ୍ୟ ଚର୍ଚ୍ଚା ପାଇଁ ମୁଲତବି ନୋଟିସ୍ ଦେଇଥିଲେ ସାଂସଦ ଶକ୍ତି ସିଂ ଗୋହିଲ । ତେବେ କଂଗ୍ରେସ, ଡିଏମକେ, ଏନସିପି ଓ ବାମଦଳ ସମେତ ୧୪ଟି ରାଜନୈତିକ ଦଳ ବୈଠକରେ ସାମିଲ ହୋଇଥିଲେ । ହେଲେ ଦିଲ୍ଲୀ ଦରବାରରେ ବିଜେଡିର ଆଭିମୁଖ୍ୟ ଏକ ରାଜନୈତିକ ବାର୍ତ୍ତା ଦେଇଥାଏ, କେତେବେଳେ କେଉଁ ବିଲର ସମର୍ଥନ ତ ଆଉ କେତେବେଳେ ବିରୋଧୀଙ୍କ ସହ ନରମଗରମ ସମ୍ପର୍କକୁ ସମସ୍ତଙ୍କ ସାମ୍ନାରେ ରଖିଥାଏ । ଯେତେବେଳେ ପେଗାସସକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି, ସେତେବଳେ ବିଜେଡିର ଏହି ନୀରବତା ଦର୍ଶାଉଛି, ଚୁପ ରହିବା ସବୁଠାରୁ ଶ୍ରେୟସ୍କର ବୋଲି ଦଳ ମନେ କରିଛି ।