କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ନୂଆ ରଣନୀତି । ୨୦୧୭ ପଂଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ସ୍ଥିତି ସମ୍ଭାଳିବାକୁ ଉଦ୍ୟମ ଆରମ୍ଭ କରିଛି ଦଳ । ଜିଲ୍ଲାକୁ ଗସ୍ତ କରୁଛନ୍ତି ବିଜେଡି ହେଭିୱେଟ । ମୟୂରଭଞ୍ଜ ଜିଲ୍ଲାକୁ ୨ ସାଂଗଠନିକ ଜିଲ୍ଲା କରି ଲୋକଙ୍କ ପାଖରେ ପହଂଚିବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ । ଅନ୍ୟପକ୍ଷରେ ଜିଲ୍ଲାରେ ବେଶ ମଜଭୁତ ସ୍ଥିତିରେ ଥିବା ବିଜେପି କହିଛି, ତେଣୁ ବିଜେଡିର ଏହି ରଣନୀତି କାମ କରିବ ନାହିଁ ।
• ୨୦୧୯ ସାଧାରଣ ନିର୍ବାଚନରେ କିଛି ଏମିତି ଥିଲା ମୟୂରଭଞ୍ଜ ଜିଲ୍ଲାର ଫଳାଫଳ
• ବିଜେଡି ଖାତାରେ ୩ ବିଧାନସଭା ଆସନ, ବିଜେପି ଖାତାରେ ୬ ବିଧାନସଭା ଆସନ
କୁହାଯାଉଛି ବିଜେପିର ଏହି ସଫଳତା ପଛରେ ଥିଲା ଦୁଇଟି ସାଂଗଠନିକ ଜିଲ୍ଲା ଭାବେ କାମ କରିବା । ଆଉ ବିଜେଡି ଏବେ ସମାନ ରଣନୀତି ଆପଣେଇବାକୁ ଯାଉଛି । ଦଳର ସ୍ଥିତି ସମ୍ଭାଳିବାକୁ ଜିଲ୍ଲା ସଂଗଠନକୁ ୨ ଭାଗ କରିବାକୁ ଚିନ୍ତା କରୁଛି ବିଜେଡି । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ପ୍ରକାଶ ଦାସ ଦାୟିତ୍ୱ ନେବା ପରେ ଘର ସଜଡା ଆରମ୍ଭ ହୋଇଛି । ପୂର୍ବରୁ ନେତା ଓ କର୍ମୀଙ୍କ ମଧ୍ୟରେ ଥିବା ବିଭେଦକୁ ଭୁଲି ସମସ୍ତେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।
ଅନ୍ୟପଟେ ଗଲା ସାଧାରଣ ନିର୍ବାଚନରେ ବିଜୟର ସ୍ୱାଦ ଚାଖିଥିବା ବିଜେପି ମୟୂରଭଞ୍ଜକୁ ପୁରାପୁରି ହାତମୁଠାକୁ ଆଣିବା ପାଇଁ ପ୍ରୟାସ କରୁଛି । ତେବେ ବିଜେଡି ଯେଉଁ ରଣନୀତି ଆପଣାଇଛି ସେଥିରେ ସଫଳ ହେବ ନାହିଁ ବୋଲି ଯୁକ୍ତି ବାଢିଛି ବିଜେପି । ଏବେ ଦେଖିବାର କଥା ବିଜେଡିର ଏହି ନୂଆ ରଣନୀତି ଦଳୀୟ ସଂଗଠନକୁ ମଜବୁତ କରିବାରେ କେତେ ଦୂର ସହାୟକ ହେଉଛି ।