ଆଜି ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ : ଓଡ଼ିଶା ବିଧାନସଭା ପାଇବ ପ୍ରଥମ ମହିଳା ବାଚସ୍ପତି

175

କନକ ବ୍ୟୁରୋ : ଆଜି ବିଧାୟିକା ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ଦଳ ବାଚସ୍ପତି ପ୍ରାର୍ଥୀ କରିଛି । ଯେହେତୁ ଆଉ କୌଣସି ଦଳ ପ୍ରାର୍ଥୀ ଦେଉନାହାନ୍ତି, ତେଣୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ।

ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ । ତାଙ୍କରି ଅଧ୍ୟକ୍ଷତାରେ ବିଧାନସଭାର ମୈାସୁମୀ ଅଧିବେଶନ ଅନୁଷ୍ଠିତ ହେବ । ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିବେ । ୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ୨୦୨୨ ଜୁନ୍ ମାସରେ ସୂର୍ଯ୍ୟ ପାତ୍ର ଇସ୍ତଫା ଦେଲା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଗତ ମେ’ ମାସରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ସେବେ ଠାରୁ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା ।

ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୬ ଥର ବିଧାନସଭାକୁ ନିର୍ବାଚିତ ହେଲେଣି । ୧୯୯୦ ମସିହାରେ ସେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୁଣି ୨୦୦୦ ମସିହାରୁ ଲଗାତାର ୫ ଥର ବିଞ୍ଝାରପୁରରୁ ନିର୍ବାଚିତ ହୋଇ ଆସୁଛନ୍ତି । ସେ ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୧୯ରୁ ୨୦୨୨ ଯାଏ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୨୨ ଜୁନ୍ ମାସରେ ସେ ନବୀନଙ୍କ କ୍ୟାବିନେଟ୍ରେ ସାମିଲ ହୋଇ ରାଜସ୍ୱ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିଲେ ।