୨୦୧୯ରେ ପୁଣି ଥରେ ନିର୍ବାଚନ ଲଢିବାକୁ ବିଜେଡି ସାଂସଦଙ୍କ ସଜବାଜ! ଟିକେଟ ମିଳିବା ନେଇ ସୁପ୍ରିମୋ ନେବେ ଶେଷ ନିଷ୍ପତି

220

କନକ ବ୍ୟୁରୋ : ପାଖେଇ ଆସିଲାଣି ୨୦୧୯ ନିର୍ବାଚନ । ରଣନୀତି ପ୍ରସ୍ତୁତିରେ ଲାଗିପଡିଲେଣି ନେତାଏ । ବିଶେଷ କରି ବର୍ତମାନର ବିଜେଡି ସାଂସଦ ମାନେ ପୁଣିଥରେ ଲଢିବା ପାଇଁ ଅଂଟା ଭିଡିଲେଣି । ଭଦ୍ରକ, ବରଗଡ, ଜଗତସିଂହପୁର, ଯାଜପୁର ଏବଂ ବାଲେଶ୍ୱର ଲୋକସଭା ଆସନରେ ୨୦୧୪ ନିର୍ବାଚନର ବିଜେଡିର ବିଜୟୀ ପ୍ରାର୍ଥୀ ପୁଣିଥରେ ୨୦୧୯ରେ ଲଢିବା ପାଇଁ ଗୋଟି ଚାଳନା କରୁଛନ୍ତି । ବିକାଶକୁ ପ୍ରସଙ୍ଗ କରୁଥିବା ଏହି ନେତାମାନେ ପ୍ରତିଶ୍ରୁତି ମୁତାବକ କାମ କରିଥିବାରୁ ପୁଣିଥରେ ଲୋକଙ୍କ ଆସ୍ଥା ଜିତିପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଜଗତସିଂହପୁର ଲୋକସଭା ଆସନରୁ ପୁଣିଥରେ ଲଢିବା ପାଇଁ ସାଂସଦ କୂଳମଣି ସାମଲଙ୍କ ସଜବାଜ ।

୨୦୧୯ରେ ପୁଣିଥରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି କୁଳମଣି । କୁଳମଣିଙ୍କ କହିବା ହେଲା, ୨୦୧୪ ଲୋକସଭା ନିର୍ବାଚନ ଜିତିବା ପରେ ଶୃଙ୍ଖଳିତ ଭାବେ କାମ କରିଛନ୍ତି । ନିଜ କର୍ତବ୍ୟ କରିବା ସହ ଠିକଭାବେ କାମ କରିଥିବାରୁ ସବୁ କିଛି ଛାଡିଦେଇଛନ୍ତି ଦଳୀୟ ସୁପ୍ରିମୋଙ୍କ ଉପରେ ।

ସେହିଭଳି ବରଗଡ ଲୋକସଭା ଆସନରୁ ଆଉଥରେ ଲଢିବାକୁ ଗୋଟି ଚଳାଉଛନ୍ତି ସାଂସଦ ପ୍ରଭାସ କୁମାର ସିଂହ । ବିକାଶକୁ ପ୍ରସଙ୍ଗ କରି ଭୋଟ ମାଗିବାକୁ ତୟାର ହେଉଛନ୍ତି ପ୍ରଭାସ । ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳୀୟ ନିଷ୍ପତିକୁ ମାନିବେ ବୋଲି କହିଛନ୍ତି ପ୍ରଭାସ ।ଅନ୍ୟପଟେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟଶାଣୀ ୨୦୧୯ରେ ଲଢିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଲେଣି । ଲୋକଙ୍କ ପାଇଁ କାମ କରିଥିବାରୁ ପୁଣିଥରେ ଟିକେଟ ପାଇଁ ଜିତିବା ପାଇଁ ଦୃଢ ଆଶାବାଦୀ ପ୍ରସନ୍ନ । ତେବେ ଲୋକଙ୍କ ସହିତ ଅଛନ୍ତି ଏବଂ ଟିକେଟ ପାଇବା କଷ୍ଟକର ବ୍ୟାପାର ହେବନାହିଁ ବୋଲି କହିଛନ୍ତି ପ୍ରସନ୍ନ ।

ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ୨୦୧୯ ନିର୍ବାଚନ ଲଢିବା ପାଇଁ ଲୋକଙ୍କ ନିକଟରେ ପହଂଚିବାକୁ ଚେଷ୍ଟା କରୁଛନ୍ତି । ୨୦୧୪ରେ ଜିତି ସାଂସଦ ବନିଥିବା ରବିନ୍ଦ୍ର ପୁଣିଥରେ ୨୦୧୯ରେ ଜିତିବାକୁ ପ୍ରସ୍ତୁତ କରୁଛନ୍ତି ରଣନୀତି । ସେହିପରି ଭଦ୍ରକରେ ସାଂସଦ ଅର୍ଜୁନ ଚରଣ ସେଠୀ, ଯାଜପୁରରେ ରିତା ତରାଇ ମଧ୍ୟ ପୁଣିଥରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ସାଂଗଠିକ ସ୍ତରରେ କାମ କରୁଛନ୍ତି । ନିର୍ବାଚନ ପାଖେଇ ଆସୁଥିବା ବେଳେ କିପରି ଜନତାଙ୍କ ନିକଟତର ହୋଇ ଭୋଟରଙ୍କ ଆସ୍ଥାଭାଜନ ହୋଇପାରିବେ ସେନେଇ ଅଙ୍କ କଷୁଛନ୍ତି ।