ରାଜ୍ୟସଭାରେ ବିଜେପି ଉପରେ ବର୍ଷିଲେ ସୁଲତା । କହିଲେ, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କାହିଁକି ମିଛ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ । 

2,006

କନକ ବ୍ୟୁରୋ : ରାଜ୍ୟସଭାରେ ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟ । ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ଗୃହରେ ସୁଲତା କହିଛନ୍ତି, ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ କେନ୍ଦ୍ରରରେ ସ୍ଥିର ଓ ବହୁମତର ସରକାର ଚାଲିଛି । କିନ୍ତୁ ବାସ୍ତବରେ କେନ୍ଦ୍ରରେ ମେଣ୍ଟ  ସରକାର ଚାଲିଛି । ରାଷ୍ଟ୍ରପତି ବୋଧେ ନିର୍ବାଚନ ଫଳାଫଳ ବାବଦରେ ସ୍ପଷ୍ଟ ସୂଚନା ପାଇନାହାନ୍ତି ।

ଏହାସହ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ସୁଲତା ଦେଓ । ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ପ୍ରଧାନମନ୍ତ୍ରୀ ନିଜ ଗାରିମା ଭୁଲି ଯାଇଥିଲେ । ନବୀନଙ୍କୁ ବନ୍ଦୀ କରି ରଖାଯାଇଛି ଏବଂ ବିଜେପି ସରକାର ଆସିଲେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରିବାକୁ ଏକ କମିଟି ଗଠନ କରିବାକୁ କହିଥିଲେ । ରାଜ୍ୟରେ ବିଜେପି ସରକାର ଶପଥ ନେବା ବେଳେ ମଞ୍ଚରେ ନବୀନ ଓ ମୋଦୀ ଉପସ୍ଥିତ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଜାଣିପାରିଥିବେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି । ତାହେଲେ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଏମିତି ମିଛ ପ୍ରଚାର କାହିଁକି କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲତା ।

ନିର୍ବାଚନ ପ୍ରଚାର ସମୟରେ ବିଜେପି କହିଥିଲା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲି ଯାଇଛି । କିନ୍ତୁ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ସ୍ପଷ୍ଟ କରିଛନ୍ତି ଚାବି ସୁରକ୍ଷିତ ଅଛି । ତାହେଲେ ନିର୍ବାଚନ ବେଳେ ଏମିତି ମିଛ କାହିଁକି କହୁଥିଲେ । ଏଥିପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ଉଚିତ । ବିଜେପି ସରକାରକୁ ଆସିଲେ ୬ ଦିନରେ ରତ୍ନଭଣ୍ଡାର ଖୋଲିବାକୁ କହିଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିଲାନି । ଏହା କଣ ଜୁମଲା ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁଲତା ।

ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ କହିଥିଲେ । ସରକାରକୁ ଆସିବା ପରେ ଭକ୍ତଙ୍କ ପାଇଁ ୪ ଦ୍ୱାର ଖୋଲିଲେ କିନ୍ତୁ ସ୍ଥିତି ଏମିତି ହେଲା ଯେ, ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହେଲା । ତେଣୁ ପୁଣିଥରେ ସେହି ଗୋଟିଏ ଦ୍ୱାର ଦେଇ ପ୍ରବେଶ ଓ  ୩ ଦ୍ୱାର ବାଟେ ବାହାରକୁ ଛାଡିଲେ ।  ସେହିଭଳି ନିଟକୁ ନେଇ ସୁଲତା କହିଛନ୍ତି, ନିଟ୍ ଘୋଟାଲା କରି ଯୁବବର୍ଗଙ୍କ ସ୍ୱପ୍ନ ପୂରା କରୁଛନ୍ତି ସରକାର । ପୂରା ଶିକ୍ଷା ବିଭାଗ ହିଁ ସବୁଠୁ ବଡ ସ୍କାମ । ଓଡ଼ିଶାରୁ ରେଲୱେ ସିଂହଭାଗ ରାଜସ୍ୱ ପାଉଛି, କିନ୍ତୁ ଏବେ ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାକୁ ରେଳ ସଂଯୋଗ ହୋଇନାହିଁ । ଯେଉଁ ଓଡ଼ିଶାରେ ଯେତେବେଳେ ଟ୍ରେନ୍ ସଂଯୋଗ ନାହିଁ ସେତେବେଳେ ବୁଲେଟ ଟ୍ରେନର ସୁନେଲୀ ସ୍ୱପ୍ନ ଦେଖାଯାଉଛି ବୋଲି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୁଲତା ।