‘କାଳିଆ’କୁ କୋଳେଇ ନିଅ…! କେନ୍ଦ୍ର-ରାଜ୍ୟ ଯୋଡି ହେଉଥିଲେ, ଏବେ ଯୋଜନା ଯୋଡିବାକୁ ବିଜେଡିର ପ୍ରସ୍ତାବ ?

393

କନକ ବ୍ୟୁରୋ: ‘କାଳିଆ’ ପାଇଁ ନାହିଁ କି ଟଙ୍କା? ଅନ୍ଧାରକୁ ଠେଲି ହୋଇ ଯିବ କି ‘କାଳିଆ’ର ଭବିଷ୍ୟତ? ଚାଷୀଙ୍କୁ ସହାୟତା ଦେବାକୁ ରାଜ୍ୟ ସରକାର କରିଥିବା କାଳିଆ ଯୋଜନା ପାଇଁ କେତେ ଟଙ୍କା ରଖିଛନ୍ତି ? ଯଦି ଟଙ୍କା ରଖିଛନ୍ତି ତେବେ କେନ୍ଦ୍ର ପାଖରେ ହାତ ପାତୁଛନ୍ତି କଣ ପାଇଁ ? କାଳିଆକୁ ସହାୟତା ଦେବାକୁ କେନ୍ଦ୍ର ଆଗରେ ପ୍ରସ୍ତାବ ଦେଉଛନ୍ତି କଣ ପାଇଁ? ଚାଷୀଙ୍କ ସୁବିଧା ପାଇଁ କେନ୍ଦ୍ରର ସହାୟତା ଲୋଡୁଛନ୍ତି ନା ନିଜ ଆର୍ଥିକ ବୋଝକୁ କେନ୍ଦ୍ର ଉପରେ ଲଦିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ? ‘ଯୋଜନା ଆମର, ଯତ୍ନ ତମର’ ନ୍ୟାୟରେ କେନ୍ଦ୍ର ଆଗରେ ବିଜେଡି ସାଂସଦ ପ୍ରସ୍ତାବ ରଖିବା ପରେ ଏମିତି କିଛି ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଛି ।

ତେବେ ଆଜି ସଂସଦରେ ବିଜେଡିର ୨ ସାଂସଦ କାଳିଆ କଥା ଉଠାଇଥିଲେ । ଚାଷୀଙ୍କ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଯୋଜନା କରିବାକୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନାକୁ ମିଶାଇ ଦେଇ ଏକ ମିଳିତ ଯୋଜନା ପ୍ରସ୍ତୁତ କରିବାକୁ ସଂସଦରେ ପ୍ରସ୍ତାବ ଦେଇଛନ୍ତି ବିଜେଡି ସାଂସଦ । ଓଡିଶା ସରକାର ବର୍ଷକୁ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେଉଛନ୍ତି । ସେହିପରି କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଚାଷୀଙ୍କୁ ଦେଉଛନ୍ତି । ତେଣୁ କେନ୍ଦ୍ର ଓ ରାଜ୍ୟ ଚାଷୀଙ୍କୁ ଦୁଇଟି ଅଲଗା ଅଲଗା ଯୋଜନାରେ ସହାୟତା ନଦେଇ ଏକା ସାଙ୍ଗରେ ଦେବାକୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟରେ ଥିବା ଯୋଜନାକୁ କେନ୍ଦ୍ରସହ ମିଶାଇ ୭୦-୩୦ ଅନୁପାତରେ ଚାଷୀଙ୍କୁ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତିି ବିଜେଡି ସାଂସଦ । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ଏଭଳି କରାଯାଉଥିବା ବେଳେ ଓଡିଶାରେ ଏମିତି କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସେପଟେ କାଳିଆକୁ କୋଳେଇ ନେବାକୁ ଅର୍ଥାତ ଯୋଜନାର ମିଶ୍ରଣ ପ୍ରସ୍ତାବ ପରେ ଶାସକ ଦଳ ଉପରେ ବର୍ଷିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ବିଜେପି କହିଛି ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନଥିଲା କେବଳ ଭୋଟ ପାଇଁ କାଳିଆ ଯୋଜନା କରିଥିଲେ । ନବୀନ ସରକାର ମୂଳରୁ ଜାଣିଥିଲେ କି ସେମାନେ କାଳିଆ ଯୋଜନାକୁ ଚଳାଇ ପାରିବେନି ବୋଲି । ଖାଲି ଭୋଟ ପାଇଁ ଯୋଜନା ପ୍ରଣୟନ କରିଥିଲେ । ତେବେ ରାଜ୍ୟର ଆର୍ଥିକ ବୋଝ କେନ୍ଦ୍ର ଉପରେ ଲଦିବାକୁ ନବୀନ ଚାହୁଁଛନ୍ତି । ରାଜ୍ୟ ସରକାର କଥାରେ ଅଧିକ କାମରେ କମ ବୋଲି କହି ସମାଲୋଚନା କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

କାଳିଆ ମିଶ୍ରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀର ମାରିଛନ୍ତି ତାରା । ନିର୍ବାଚନ ଜିତିବାକୁ ରାଜ୍ୟ ସରକାର କାଳିଆ ଯୋଜନା କରିଥିବା ବେଳେ ଯୋଜନା ପାଇଁ ଟଙ୍କା ନାହିଁ । ଆଉ ଏବେ ଉକ୍ତ ଯୋଜନା ପାଇଁ କେନ୍ଦ୍ର ପାଖରେ ପ୍ରସ୍ତାବ ଦେଉଛନ୍ତି କହି କଟାକ୍ଷ କରିଥିଲେ ।
କେନ୍ଦ୍ର ସହ ରାଜ୍ୟ ଯୋଜନା ମିଶ୍ରଣରୁ ରାଜନୈତିକ ଗନ୍ଧ ବିରୋଧୀ ବାରି ଥିବା ବେଳେ ହଠାତ କଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସହ ଯୋଡି ହେଉଛନ୍ତି ତାହା ଏକ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି । କେନ୍ଦ୍ରର ବିଭିନ୍ନ ଯୋଜନାକୁ ଚାଲେଞ୍ଜ ଦେଇ ରାଜ୍ୟ ସରକାର ବହୁ ଜନହିତକର ଯୋଜନା କରୁଥିବା ବେଳେ ହଠାତ କଣ ପାଇଁ ହାତ ପାତିଲେ ? ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଠାରୁ କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଚାଲେଞ୍ଜ ଦେଇ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଥିଲେ । ହେଲେ ଏବେ କାଳିଆ ପାଇଁ କେନ୍ଦ୍ର ଆଗରେ ପ୍ରସ୍ତାବ ରଖିବା ପରେ କାଳିଆ ପାଇଁ ଟଙ୍କା ନଥିବା ସନ୍ଦେହ ଘନୀଭୂତ ହୋଇଛି ।

ତେବେ ଗତ କିଛି ଦିନ ଧରି କେନ୍ଦ୍ର-ରାଜ୍ୟ ମଧ୍ୟରେ ନିବିଡତା ବଢୁଥିବା କଥା ଯେଉଁ ଚର୍ଚ୍ଚା ହେଉଥିଲା, ହେଲେ ଆଜି ସାଂସଦଙ୍କ ‘କାଳିଆ ମିଶ୍ରଣ’ ପ୍ରସ୍ତାବ ସେ ଚର୍ଚ୍ଚାକୁ ଅଧିକ ଫର୍ଚ୍ଚା କରିଛି । କେନ୍ଦ୍ର-ରାଜ୍ୟ ଯୋଡି ହେଉଥିବାରୁ ଯୋଜନା ଯୋଡିବାକୁ ଚାହୁଁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Comments are closed.