ସଂସଦରେ ଶକ୍ତିଙ୍କ କଥା ଉଠାଇଲେ ମିଶନ ଶକ୍ତିର ମାଆ ! ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇବାକୁ ଦାବି କଲେ

Advertisment
ସଂସଦରେ ଶକ୍ତିଙ୍କ କଥା ଉଠାଇଲେ ମିଶନ ଶକ୍ତିର ମାଆ ! ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇବାକୁ ଦାବି କଲେ

କନକ ବ୍ୟୁରୋ: ସଂସଦରେ ପ୍ରଥମ ଅଭିଭାଷଣ ରଖିଲେ ପ୍ରମିଳା ବିଷୋୟୀ । ଆସିକା ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ବିଷୋୟୀ ଆଜି ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବଜେଟ ଉପସ୍ଥାପନର ଦିନକ ପୂର୍ବରୁ ପ୍ରମିଳା ଏକ ବଡ ଦାବି କେନ୍ଦ୍ର ଆଗରେ ରଖିଛନ୍ତି । ମାଆମାନଙ୍କ ମୁଖିଆ ସାଜି ସଂସଦ ଯାଇଥିବା ପ୍ରମିଳା ନିଜ ପ୍ରଥମ ଭାଷଣରେ ହିଁ ମାଆଙ୍କ କଥା, ମହିଳାଙ୍କ କଥା ଉଠାଇଛନ୍ତି ।

publive-image

ଲୋକସଭାରେ ମହିଳା ସଶକ୍ତୀକରଣ ପ୍ରସଙ୍ଗ ଉଠାଇ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ କଥା କହିଥିଲେ ପ୍ରମିଳା । ଗତବର୍ଷ ଅର୍ଥାତ ୨୦୧୮ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଭତ୍ତା ୪୫୦୦ ଟଙ୍କା ବଢାଇଥିଲେ । ମାତ୍ର ଏତିକି ଅର୍ଥ ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ । ସମାଜରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ମହିଳାମାନଙ୍କ ପାଇଁ ଏହା ଠିକ ନୁହେଁ ସେମାନଙ୍କୁ ଉଚିତ ସମ୍ମାନ ମିିଳିବା ଉଚିତ । ତେଣୁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ମାସିକ ଭତ୍ତା ୧୫ ହଜାର ଟଙ୍କାକୁ ଏବଂ ସହାୟିକାଙ୍କ ଭତ୍ତା ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ପ୍ରମିଳା ଗୃହରେ ଦାବି କରିଥିଲେ । ଏହା ସହ ପବିତ୍ର ରଥଯାତ୍ରା ଉପଲକ୍ଷେ ଗୃହର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରମିଳା ।

publive-image

ତେବେ ପ୍ରଥମ ଅଭିଭାଷଣରେ ସଂସଦରେ ନାରୀ ଶକ୍ତି ଉଠାଇବା ପରେ ବେଶ ଚର୍ଚ୍ଚାରେ ରହିଛନ୍ତି ପ୍ରମିଳା । ଗୃହରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କ ଗାଲରେ ଏକ ଶକ୍ତ ଚାପୁଡା ମାରିଛନ୍ତି ପ୍ରମିଳା । ଚଳିତ ନିର୍ବାଚନ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା ବେଳେ ନବୀନ ଯେତେବେଳେ ପ୍ରମିଳାଙ୍କ ନାଁ ଘୋଷଣା କରିଥିଲେ ସେତେବେଳେ ବିରୋଧୀଙ୍କ ସମେତ ଅନେକ ଲୋକ ମଧ୍ୟ ତାଙ୍କୁ ସମାଲୋଚନା କରିଥିଲେ । ୩ୟ ଶ୍ରେଣୀ ଯାଏଁ ପାଠ ପଢିଥିବା ଜଣେ ମହିଳା ଆଉ ଭଲରେ ପଦେ କଥା କହିପାରୁନଥିବା ସାଧାରଣ ନାରୀଟେ ଜିତିଲା ପରେ କେଉଁ ଭାଷାରେ ସଂସଦରେ ଓଡିଶାର ଦାବି ଜଣାଇବେ । ଯଦି ଓଡିଆ ଭାଷାରେ ସେ ଦାବି ଉପସ୍ଥାପନା କରନ୍ତି ତେବେ ସଂସଦରେ ତାଙ୍କ କଥା କିଏ ବୁଝିବ ବୋଲି ସେତେବେଳେ ଅନେକ ସମାଲୋଚନାର ଶିକାର ମଧ୍ୟ ହୋଇଥିଲା ସେ । ନବୀନ ପଟ୍ଟନାୟକ ଏଭଳି ଜଣେ ମହିଳାଙ୍କୁ ଟିକଟ ଦେଇ ଗୋଟିଏ ଆସନ ନଷ୍ଟ କଲେ ବୋଲି କିଛି ମଧ୍ୟ ଅଭିଯୋଗ କରିଥିଲେ ।

ହେଲେ ଆଜି ସଂସଦରେ ମହିଳାଙ୍କ ପାଇଁ ଏକ ବୃହତ ଦାବି ଉଠାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ ଆସିକା ଚେରମାରିଆ ଗାଁର ପ୍ରମିଳା ବିଷୋୟୀ । ଅଖ୍ୟାତ ପଲ୍ଲୀରୁ ଦିଲ୍ଲୀ ଯାଇଥିବା ପ୍ରମିଳା ନାରୀମାନଙ୍କୁ ସ୍ୱାଭାଲମ୍ବୀ କରିବାକୁ ଘରୁ ଗୋଡ କାଢିଥିଲେ । ଆଉ ଆଜି ସେହି ନାରୀଙ୍କ କଥା ଗୃହରେ ଉଠାଇ ଚର୍ଚ୍ଚାରେ ରହିଛନ୍ତି ପ୍ରମିଳା । ତେବେ ସଂସଦରେ ବେଶ ଦମ୍ଭର ସହ ଆଉ ନିର୍ଭିକତାର ସହ ନିଜର ଦାବି ଉଠାଇ ତାଙ୍କ ସମାଲୋଚକଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିଛନ୍ତି ପ୍ରମିଳା ଆଉ ସେମାନଙ୍କୁ ଚେତାଇ ଦେଇଛନ୍ତି କି ଭଲରେ କଥା କହି ପାରୁନଥିବା ଜଣେ ମହିଳା ମଧ୍ୟ ଭଲ ଦାବି ଉଠାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe