କମୁଛି ବିଜେପି-ବିଜେଡି ଦୂରତା? ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।

ପ୍ରଥମେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଟେକିଦେବା ଆଉ ଏବେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ତଦନ୍ତ ପାଇଁ ବିଜେଡି ସାଂସଦ ଦାବି କରିବା ଅନେକ କିଛି ରାଜନୈତିକ ସଂକେତ ଦେଉଥିବା ଚର୍ଚ୍ଚା ହେଉଛି ।

389

କନକ ବ୍ୟୁରୋ: ଲୋକସଭାରେ ଉଠିଲା ବିଜେପିର ପ୍ରଣେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରହସ୍ୟମୟ ମୃତ୍ୟର ତଦନ୍ତ ଘଟଣା । ହେଲେ ଏହାର ତଦନ୍ତ ଦାବି ବିଜେପି ସଦସ୍ୟ ନୁହେଁ ବରଂ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ୧୯୫୩ ମସିହା ଶ୍ରୀନଗର ଠାରେ ଜେଲରେ ଥିବାବେଳେ ଶ୍ୟାମା ପ୍ରସାଦଙ୍କ କିଭଳି ମୃତ୍ୟୁ ହୋଇଥିଲା, ତାହା ଉପରୁ ପରଦା ଉଠାଇବାକୁ ଲୋକସଭାରେ ଦାବି କରିଛନ୍ତି କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଏପରିକି ଯଦି ସରକାର ସୁବାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ବିଷୟରେ ଅନୁସନ୍ଧାନ କରିପାରିଲେ ତା’ହାଲେ ମୁଁ ଆଶା କରୁଛି ନୂଆ ସରକାର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ କରିପାରିବେ । କିଛି ଏଭଳି ଉକ୍ତ ବିଜେପି ସାଂସଦ ରଖିବା ପରେ ଚର୍ଚ୍ଚା ଜୋର ଧରିଛି ।

ପ୍ରଥମେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଟେକିଦେବା ଆଉ ଏବେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ତଦନ୍ତ ପାଇଁ ବିଜେଡି ସାଂସଦ ଦାବି କରିବା ଅନେକ କିଛି ରାଜନୈତିକ ସଂକେତ ଦେଉଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ବିଜେପି ଓ ବିଜେଡି ଭିତରେ ଆଉ ତିକ୍ତତା ନାହିଁ । ବରଂ ଉଭୟ ରାଜନୈତିକ ଦଳ ଅତୀତର ଧାରାରେ ଆଗକୁ ବଢିବାକୁ ଚାହୁଁଛନ୍ତି । ଅର୍ଥାତ୍ ମେଂଟ ସରକାରରେ ଅଂଶୀଦାର ଥିବା ବିଜେଡି ଏବେ ସହଯୋଗୀ ଦଳ ଭାବେ ନିଜର ଆଭିମୁଖ୍ୟ ରଖୁଥିବା ଦେଖିବାକୁ ମିଳୁଛି ।

BJD-BJPଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ଆହୁରି ମଧ୍ୟ କହିଛନ୍ତି କି, ପଶ୍ଚିମବଙ୍ଗ ବିଧାନସଭାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରହସ୍ୟମୟ ମୃତ୍ୟ ଘଟଣାର ତଦନ୍ତ ପାଇଁ ସଂକଳ୍ପ ପାରିତ ହୋଇଥିଲା । କିନ୍ତୁ ଏହାର କୌଣସି ସୁଫଳ ମିଳିପାରିଲା ନାହିଁ ବରଂ ସେ ସଂକଳ୍ପ ପତ୍ର ସେଠାରେ ହିଁ ରହିଗଲା । ତେବେ ଭର୍ତ୍ତୁହରିଙ୍କ ପ୍ରସ୍ତାବ ଗୃହରେ ଉପସ୍ଥିତ ଥିବା ସମସ୍ତ ବିଜେପି ସଦସ୍ୟଗଣଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ଭର୍ତ୍ତୃହରିଙ୍କୁ ପୂର୍ଣ୍ଣ ସହମତି ମଧ୍ୟ ଜଣାଇଥିଲେ । ଆଉ ଏହାର ତଦନ୍ତ ତୁରନ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛନ୍ତି ।

ଅନ୍ୟପଟେ ବିଜେପିର ପ୍ରଣେତା ଶ୍ୟାମା ପ୍ରସାଦଙ୍କ ମର୍ଡର ମିଷ୍ଟ୍ରୀର ଖୋଳତାଡ କରିବାକୁ କାହିଁକି ବିଜେଡି ସାଂସଦ ଗୃହରେ ପ୍ରସ୍ତାବ ଆଣିଲେ ସେନେଇ ଚର୍ଚ୍ଚା ଜୋର ଧରିଛି । କ’ଣ ଏହା ପଛରେ କିଛି ରାଜନୈତିକ ଗନ୍ଧ ରହିଛି କି ? କ’ଣ ଏହା ବିଜେଡି-ବିଜେପି ମଧ୍ୟରେ ଦୂରତାକୁ ଦୂର କରିବାକୁ ଏକ ଯୋଗସୂତ୍ର କି? ନା ଶ୍ୟାମା ପ୍ରସାଦଙ୍କ ରହସ୍ୟମୟ ମୃତ୍ୟ ଘଟଣା ଉପରୁ ପରଦା ଉଠାଇବାକୁ ଭର୍ତ୍ତୃହରି ନିଜେ ଚାହୁଁଛନ୍ତି ? ଏଭଳି କିଛି ପ୍ରଶ୍ନ ଏବେ ରାଜନୈତିକ ମହଲକୁ ଗରମ କରିବାରେ ଲାଗିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ୟାମା ପ୍ରସାଦ ମୁଖାର୍ଜୀ କାଶ୍ମୀରରୁ ଧାରା- ୩୭୦ ହଟାଇବା ଦାବୀରେ ୧୯୫୩ ମସିହାରେ ଜାମ୍ମୁ ଯିବା ପାଇଁ ନିଷ୍ପତି ନେଇଥିଲେ । ସେତେବେଳେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ ଅବଦୁଲ୍ଲା ମୁଖାର୍ଜୀଙ୍କୁ ଧମକ ଦେଲେ ଯେ, ଯଦି ସେ ଜାମ୍ମୁ କାଶ୍ମୀରର ସୀମା ମଧ୍ୟରେ ପ୍ରବେଶ କରିବେ ତେବେ ତାଙ୍କୁ ଗିରଫ କରି ନିଆଯିବ । କିନ୍ତୁ ସେ କାହା କଥାକୁ ଭ୍ରୁକ୍ଷେପ ନ କରି ଜାମ୍ମୁ କାଶ୍ମୀର ଆଡକୁ ପ୍ରବେଶ କରିଥିଲେ । ସୀମାରେ ପ୍ରବେଶ କରିବା ମାତ୍ରେ ହିଁ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା ଏବଂ ଜେଲରେ ରଖାଯାଇଥିଲା । ଏହାର କିଛି ଦିନ ପରେ ଜେଲରୁ ତାଙ୍କର ମୃତ୍ୟୁର ଖବର ଆସିଲା । ଅନେକ ରାଜନୈତିକ ଦଳ ମାନେ ଘୋଷଣା କରିଥିଲେ ଯେ ସରକାରକୁ ଆସିଲେ ଡ. ମୁଖାର୍ଜୀଙ୍କ ଜେଲର ମୃତ୍ୟୁ ଘଟଣାର ତଦନ୍ତ କରାଯିବ ଏବଂ ସତ୍ୟତାକୁ ପ୍ରକାଶ କରାଯିବ । କିନ୍ତୁ ୬ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଦେଶରେ ଅନେକ ସରକାର ଆସିଛନ୍ତି ଏବଂ ଯାଇଛନ୍ତି । ମୁଖାର୍ଜୀଙ୍କ ମୃତ୍ୟୁର ରହସ୍ୟ ଆଜି ମଧ୍ୟ ରହସ୍ୟ ହୋଇ ରହିଛି ।