କନକ ବ୍ୟୁରୋ : ଦିଲ୍ଲୀରେ ଉଠିଲା ଓଡ଼ିଶାର ଦାବି । ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆବାସ ପୋର୍ଟାଲ ଖୋଲିବା ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ । ଶୂନ୍ୟ କାଳରେ ବିଜେଡି ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ସୁଜିତ କୁମାର ଏହି ପ୍ରସଙ୍ଗ ଉଠାଇଛନ୍ତି । ସସ୍ମିତ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ତେ୍ୱ ମଧ୍ୟ ଓଡିଶାର ୬ଲକ୍ଷ ଗରିବଙ୍କ ପାଇଁ କେନ୍ଦ୍ର ସରକାର ଖୋଲୁ ନାହାଁନ୍ତି ଆବାସ ପ୍ଲସ ପୋର୍ଟାଲ । ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା ଓ କେବିକେ ଜିଲ୍ଲାର ହିତାଧିକାରୀଙ୍କ ପାଇଁ ପୋର୍ଟାଲ ଖୋଲାଯାଉ ନାହିଁ । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର । ୩ ବର୍ଷ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଥର ଏ ବାବଦରେ କେନ୍ଦ୍ର ସରକାରଙ୍କୁ ୩ ଥର ଚିଠି ଲେଖିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି ।
କିନ୍ତୁ ଅନ୍ୟପଟେ କର୍ଣ୍ଣାଟକରେ ୨୫ଲକ୍ଷ ଘର ପାଇଁ ଚଳିତ ବର୍ଷ ଜାନୁଆରୀ ୧୩ ତାରିଖରେ ଆବାସ ପ୍ଲସ ପୋର୍ଟାଲ ଖୋଲାଯାଇ ଅଛି । ତେଣୁ ଓଡ଼ିଶା ପାଇଁ ମଧ୍ୟ ଆବାସ ପ୍ଲସ ପୋର୍ଟାଲ ଖୋଲାଯାଉ ବୋଲି ଦାବି କରିଛନ୍ତି ସସ୍ମିତ । ସେହିଭଳି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଆବାସ ଯୋଜନାରେ ଘର ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଦେଶରେ ବେଶ ଭଲ ପ୍ରଦର୍ଶନ କରିଛି । ସେହିଭଳି ହିତାଧିକାରୀଙ୍କୁ ଠିକ୍ ସମୟରେ ଟଙ୍କା ଦେବାରେ ମଧ୍ୟ ଓଡ଼ିଶା ବେଶ ଆଗରେ । ଯେହେତୁ ଆବାସ ପୋର୍ଟାଲରେ ସାମିଲ ହୋଇନଥିବା ୬ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ମଧ୍ୟରେ ଆଦିବାସୀ ଓ ଗରିବ ଲୋକେ ରହିଛନ୍ତି ତେଣୁ ତୁରନ୍ତ ସମସ୍ତଙ୍କୁ ସାମିଲ କରାଯାଉ ବୋଲି ଦାବି କରିଛନ୍ତି ଅମର ପଟ୍ଟନାୟକ ।
ଆବାସ ପୋର୍ଟାଲ ଖୋଲିବା ପାଇଁ କିଛି ଦିନ ତଳେ ପଂଚାୟତରାଜ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ହେଲେ ଏପର୍ଯ୍ୟନ୍ତ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ପଂଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଘର ନାହିଁ ତ ଭୋଟ ନାହିଁ ବୋଲି ଭୋଟର ମାନେ କହିବା ପରେ ଏହା ଏକ ବଡ ପ୍ରସଙ୍ଗ ପାଲଟିଛି ।