କନକ ବ୍ୟୁରୋ : ଯାହାଙ୍କୁ ପୂରା ଦେଶ ଜାଣିଛି ତାଙ୍କୁ ଚିହ୍ନିପାରିଲେନି ବଲାଙ୍ଗୀର ରାଜା ତଥା ବିଜେଡି ସାଂସଦ ଅନଙ୍ଗ ଉଦୟ ସିଂହଦେଓ । ପଶ୍ଚିମ ଓଡିଶାର ରତ୍ନଙ୍କୁ ଚିହ୍ନିପାରିନାହାନ୍ତି ପଶ୍ଚିମ ଓଡିଶାର ହେଭିୱେଟ ନେତା । ପୂରା ଦେଶରେ ପଶ୍ଚିମ ଓଡିଶାର ନାଁକୁ ଗର୍ବିତ କରିଥିବା ପଦ୍ମଶ୍ରୀ ହଳଧର ନାଗଙ୍କୁ ଜାଣିନାହାନ୍ତି ପଶ୍ଚିମ ଓଡିଶାର ହେଭିୱେଟ ନେତା କୁହାଯାଉଥିବା ଅନଙ୍ଗ ଉଦୟ ସିଂହଦେଓ । ଯାହାଙ୍କ କବିତା ପୂରା ପଶ୍ଚିମ ଓଡିଶା ବାସୀଙ୍କ ମନ ଜିଣିଛି ତାଙ୍କୁ କିନ୍ତୁ ମନେରଖିନାହାନ୍ତି ଅନଙ୍ଗ ।
ଘଟଣାଟି ଏହିଭଳି, ଗତ ରବିବାର ଦିନ ବିଭିନ୍ନ ଦାବି ନେଇ ନବୀନ ନିବାସରେ ପହଞ୍ଚିଥିଲେ ପଶ୍ଚିମ ଓଡିଶାର ଲୋକପ୍ରିୟ କୋଶଳୀ କବି ହଳଧର ନାଗ । କଳା ଚଷମା ସାଙ୍ଗକୁ ଧଳା ଧୋତି ପୂରା ଗାଉଁଳି ଅନ୍ଦାଜରେ ନବୀନ ନିବାସରେ ପହଞ୍ଚିଥିଲେ ହଳଧର । ଟିକେଟ ପାଇଁ କସରତ ଚାଲୁଥିଲେ ମଧ୍ୟ ସମୟ ବାହାର କରି ହଳଧରଙ୍କୁ ଭେଟିଥିଲେ ନବୀନ । ଏହାପରେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ସମ୍ମିଳନୀ ପାଇଁ ବାହାରେ ପୋଡିୟମ ପଡିଲା ସେତେବେଳେ ପଶ୍ଚିମ ଓଡିଶାର ଜଣାଶୁଣା ବ୍ୟକ୍ତିତ୍ୱ ପୋଡିୟମ ପାଖରେ ଦେଖିବାକୁ ମିଳିଥିଲା । ଯେଉଁମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗଙ୍କ ସମେତ ବିଜେଡିର ଦୁଇ ସାଂସଦ ପ୍ରସନ୍ନ ଆଚାଯ୍ୟ ଓ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ସାମିଲ ଥିଲେ ।
ହଳଧରଙ୍କୁ ସିନା ଅନଙ୍ଗ ଚିହ୍ନିନଥିଲେ କିନ୍ତୁ ଅନଙ୍ଗଙ୍କୁ ବେଶ ଭଲଭାବେ ହଳଧର ଜାଣିଥିବା ଏହି ଦୃଶ୍ୟ ସୂଚାଉଥିଲା । ନେତାଙ୍କର କେବଳ ଭୋଟରେ ମତଲବ ଏହା ପ୍ରମାଣିତ ହୋଇଥିଲା । କିନ୍ତୁ ସବୁଠୁ ବଡ କଥା ହେଉଛି ଯେଉଁଠି ମୁଖ୍ୟମନ୍ତ୍ରୀ ଓଡିଶାକୁ ଗର୍ବିତ କରିଥିବା ହଳଧରଙ୍କୁ ଏଯାଏଁ ଭୁଲିନାହାନ୍ତି ଆଉ ହଳଧର ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି, ସେଭଳି ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ବାଲ୍ୟବନ୍ଧୁ ତଥା ପଶ୍ଚିମ ଓଡିଶାର ଟାଣୁଆ ନେତା ନିଜ ଅଞ୍ଚଳର ନେତାଙ୍କୁ କିଭଳି ଭୁଲି ଯାଇଛନ୍ତି । ରାଜପରିବାରର ଲୋକ ସାଧାରଣ ଲୋକଙ୍କୁ କେତେ ଜାଣନ୍ତି ତାହା ଏହି ଦୃଶ୍ୟରୁ ସ୍ପଷ୍ଟ ଅନୁମେୟ ।
Follow Us