ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସକୁ ଟଣା ହେଲେ ବିଜେଡି ବିଧାୟକଙ୍କ ଭାଇ । ଅର୍ଚ୍ଚନାଙ୍କ ଦାମୀ କାର ସଉକ ପଛର ଖୋଲିପାରେ ଗୁମର ।

174

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସକ୍ରିୟ ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଫିଲ୍ମ ପ୍ରଯୋଜକ, ବ୍ୟବସାୟୀଙ୍କ ପରେ ଏବେ ଇଡିକୁ ଟଣା ହୋଇଛନ୍ତି ନେତାଙ୍କ ସମ୍ପର୍କୀୟ । ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଓରଫ ନିଧି ସାମଲ ଇଡିରେ ହାଜର ହୋଇଛନ୍ତି । ଏକ ଲ୍ୟାଣ୍ଡରୋଭର ସୋରୁମର ମାଲିକ ହେଉଛନ୍ତି ଗଙ୍ଗାଧର ସାମଲ । ଆଉ ତାଙ୍କର ସୋରୁମ୍ ଆକାଉଣ୍ଟରୁ ସେକ୍ସଟର୍ସନ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଗଙ୍ଗାଧର ସାମଲକୁ ଜେରା କରାଯାଇଛି ।

  • ନିର୍ବାଚନ ପୂର୍ବରୁ ଇଡିକୁ ଟଣାହେଲେ ନେତାଙ୍କ ସଂପର୍କୀୟ
  • ଢେଙ୍କାନାଳ ବିଧାୟକଙ୍କ ଭାଇ ଗଙ୍ଗାଧର ଇଡିରେ ହାଜର

ଭୁବନେଶ୍ୱରରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଆଜି ଜଣେ ନେତାଙ୍କ ଭାଇ ପହଞ୍ଚିବା ପରେ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ । ସମନ ପାଇ ହାଜର ହୋଇଛନ୍ତି ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ଭାଇ ଗଙ୍ଗାଧର ସାମଲ । ତାଙ୍କର ଏକ ଲ୍ୟାଣ୍ଡରୋଭର ସୋ-ରୁମ ରହିଛି ଏବଂ ସୋ-ରୁମ ଆକାଉଣ୍ଟରୁ ସେକ୍ସଟର୍ସନ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହୋଇଥିବା ସୂଚନା ମିଳିଛି । ଯେଉଁ ବାବଦରେ ଖୋଳତାଡ ଆରମ୍ଭ କରିଛି ଇଡି ।

ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନାଙ୍କ ସହ ଟଙ୍କା କାରବାରକୁ ନେଇ ଗଙ୍ଗାଧର ସାମଲଙ୍କୁ ଜେରା କରିଛନ୍ତି ଇଡି ଅଧିକାରୀ । ଇଡି ପ୍ରଶ୍ନ କରିଛି..

ଗଙ୍ଗାଧର ସାମଲଙ୍କୁ ଇଡିର ପ୍ରଶ୍ନ

  • ଆପଣଙ୍କ ସୋ-ରୁମ୍ ଆକାଉଣ୍ଟରୁ ଅର୍ଚ୍ଚନା ଆକାଉଣ୍ଟଙ୍କୁ ଟଙ୍କା କାହିଁକି ଟ୍ରାନ୍ସଫର ହୋଇଛି?
  • ଏକାଧିକ କିସ୍ତିରେ ୩୩ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ଆପଣ କ’ଣ କହିବେ?
  • ଅର୍ଚ୍ଚନା ଲ୍ୟାଣ୍ଡରୋଭର ଗାଡି କିଣିନଥିବାବେଳେ ଆପଣଙ୍କୁ କାହିଁକି ଟଙ୍କା ଦେଇଥିଲେ?
  • ଯଦି ନଗଦ ଆକାରରେ ଟଙ୍କା ଦେଇଥିଲେ, ଗାଡି ନକିଣି ପୁଣି ଫେରସ୍ତ ନେଲେ କାହିଁକି?
  • ଅର୍ଚ୍ଚନା ନାଗ ଆପଣଙ୍କୁ ବ୍ଲାକମେଲ କରିବାରୁ ଏହି ଟଙ୍କା କାରବାର ହୋଇଥିଲା କି?
  • ହନିଟ୍ରାପରେ ଫସି ଆପଣ ଟଙ୍କା ଦେଇଥିଲେ ନା ଗାଡି କିଣିବାକୁ ଟଙ୍କା କାରବାର ହୋଇଥିଲା?

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟତଃ ଅର୍ଚ୍ଚନାଙ୍କ ସହ ହୋଇଥିବା ଟଙ୍କା କାରବାରକୁ ନେଇ ଖୋଳତାଡ କରୁଥିବାରୁ ଜଣେ ପରେ ଜଣେ ଚେହେରା ସାମ୍ନାକୁ ଆସୁଛନ୍ତି । ପ୍ରଥମେ ଖଗେଶ୍ୱରକୁ ବାନ୍ଧିବା ପରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ତାଙ୍କ ଏତଲାରେ ନାଁ ଥିବା ଶ୍ରଦ୍ଧାଞ୍ଜଳି ଏବଂ ବ୍ୟବସାୟୀ ଅମିୟ ଦାସ ଓ ବିଧାୟକଙ୍କ ଭାଇ ଗଙ୍ଗାଧରଙ୍କୁ ଡାକି ଜେରା କରିସାରିଲାଣି ଇଡି ।

ଅର୍ଚ୍ଚନାଙ୍କ ସହ ଏକାଧିକ ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋ ସାମ୍ନାକୁ ଆସିଥିଲା । ତେଣୁ ଅନୁମାନ କରାଯାଉଛି ପର୍ଯ୍ୟାୟକ୍ରମେ ଅର୍ଚ୍ଚନା ସହ ଅର୍ଥ କାରବାର କରିଥିବା ବ୍ୟକ୍ତିଙ୍କୁ ସମନ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜଣେ ବିଧାୟକଙ୍କ ସଂପର୍କୀୟ ହାଜର ହେବାପରେ ଆଗକୁ ଆଉ କାହାର ପାଳି ପଡିବ ତାକୁ ନେଇ ଆଶଙ୍କା ବଢିଯାଇଛି । ଆଗକୁ ଏକ ଉପନିର୍ବାଚନ ଥିବାବେଳେ ପୁଣି ସାଧାରଣ ନିର୍ବାଚନ ବି ଆସୁଛି । ତେଣୁ ସାଧାରଣରେ ଚର୍ଚ୍ଚା ହେଉଛି, ଆଗକୁ କେଉ ନେତା କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଳି ପଡିବ କି?

ତେବେ ଅର୍ଚ୍ଚନାଙ୍କ କଳା ଟଙ୍କାକୁ ଧଳା କରିବାରେ ପ୍ରମୁଖ ଭୂମିକା ନେଉଥିଲା ତାର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଖଗେଶ୍ୱର । ତା ଠାରୁ ଅନେକ ସୂଚନା ପାଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏବେ ପୁଣି ତାକୁ ଦୁଇଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ ହୋଇଛି । ଖଗେଶ୍ୱର ପୁଣି ରିମାଣ୍ଡରେ ଆସିଲେ ସବୁ ବିନ୍ଦୁକୁ ଯୋଡି ତଦନ୍ତ ଆଗକୁ ବଢାଇପାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।