କନକ ବ୍ୟୁରୋ: ଶାସକ ଦଳକୁ ବିରୋଧୀ ବିଜେଡି ବିଧାୟକଙ୍କ ଟାର୍ଗେଟ୍ । ବିଧାନସଭା ବଜେଟ୍ ଅଧିବେଶନର ୩ୟ ଦିନରେ ବି ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିବାବେଳେ, ସରକାର ଜାଣିଶୁଣି ଗୃହ ଚଳାଇବାକୁ ଚାହୁନାହାଁନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ । ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓ କହିଛନ୍ତି, ବାରମ୍ବାର ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଗୃହ ବନ୍ଦ ହେଉଛି, ରାଜ୍ୟ ସରକାରଙ୍କ ଆଚାର ନାହିଁ କି ବିଚାର ନାହିଁ । ଶାସକ ଦଳ କାର୍ଯ୍ୟ ପରାମର୍ଶଦାତା ବୈଠକ ଡକାଉ ନାହାନ୍ତି, ଯେଉଁଥିରୁ ଜଣାପଡୁଛି କି ସେମାନେ ଗୃହ ଚଳାଇବାକୁ ଚାହୁଁ ନାହାନ୍ତି ।

Advertisment

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୃହରେ କହିବାରେ ଅସୁବିଧା କଣ? ଗୃହ ବାହାରେ କାହିଁକି କହୁଛନ୍ତି? ବିଧାନସଭା ସମୟରେ ଗୃହ ହିଁ ମୁଖ୍ୟ । ରାଜ୍ୟପାଳ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରୁ ନିବୃତ୍ତ ରହିବ ବିଜେଡି । ଏଥିସହ ନୂଆ ସରକାର ଡ଼ରିକି ବସିଛି, ଗୃହ ଚାଲିଲେ ଦରଦାମ ପରି ପ୍ରସଙ୍ଗ ଉଠିବ । ଯେଉଁଥିପାଇଁ ସରକାର ଆଲୋଚନା ଚାହୁଁ ନାହାନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ଓଡିଶାର ସମ୍ପୂର୍ଣ୍ଣ ଉନ୍ନତି ବିଜେଡିର ଲକ୍ଷ୍ୟ, ଅପରାହ୍ନରେ ସାମ୍ବିଧାନିକ ନିୟମ ଅନୁସାରେ ଉପବାଚସ୍ପତି ନିର୍ବାଚନରେ ବିଜେଡି ଯୋଗ ଦେବ ବୋଲି କହିଛନ୍ତି ବଲାଙ୍ଗୀରର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ।

ସେପଟେ ଜଟଣୀ ବିଜେଡି ବିଧାୟକ ଓ ସୁନ୍ଦରଗଡ ବିଜେଡି ବିଧାୟକ ମଧ୍ୟ ସରକାର ଉପରେ ବର୍ଷିଛନ୍ତି । ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରକୁ ଘେରିଥିବାବେଳେ, ରାଜ୍ୟପାଳଙ୍କ ପୁଅ କଣ ଆଇନଠୁ ଉର୍ଦ୍ଧ୍ୱରେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ କହିଛନ୍ତି, ସେମାନେ ଆଇନ ସମ୍ପର୍କରେ ପଢିବା ଉଚିତ୍ ।