କନକ ବ୍ୟୁରୋ : ସଂପଦକୀୟରେ ସଚିବଙ୍କ ବିରୋଧରେ ଲେଖି ଅଡୁଆରେ ପଡିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କିଛିଦିନ ହେବ ତାଙ୍କ ସଂପାଦକୀୟ ଲେଖାକୁ ନେଇ ଜଣଙ୍କ ପରେ ଜଣେ ବିଜେଡି ନେତା ସୌମ୍ୟଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆଜି ତାଙ୍କୁ ଦଳର ଉପସଭାପତି ପଦରୁ ବହିସ୍କୃତ କରାଯାଇଛି । ଏହାକୁ ନେଇ ଚାରିଆଡୁ ସୌମ୍ୟଙ୍କ ପ୍ରତି ସମର୍ଥନ ବଢୁଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ସୌମ୍ୟରଞ୍ଜନ । ସେ କହିଛନ୍ତି କି ଦଳର ସଭାପତି କାହାକୁ କେଉଁ ପଦରେ ରଖିବେ ଓ କାହାକୁ ବାହାର କରିବେ ତାହା ତାଙ୍କର ବ୍ୟକ୍ତିଗତ । ସେ ମୋତେ ଉପସଭାପତି ଭାବେ ନିଯୁକ୍ତି ଦେଇଥିଲେ ଓ ଏବେ ସେଥିରୁ ସେ ମୋତେ ଅନ୍ତର କରିଛନ୍ତି ତେଣୁ ଏଥିରେ ବିଶେଷ କିଛି ଅସ୍ୱାଭାବିକତା ନାହିଁ । ହେଲେ ଉପସଭାପତି ହରାଇ ସେ କିଛି ହରାଇଥିବା ଭଳି ଅନୁଭବ କରିନଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି । ଉପସଭାପତି ଭାବେ ମୁଁ କଣ କରୁଥିଲି ଯେ ଏବେ ସେହି ପଦ ହରାଇବା ନେଇ ଦୁଃଖ ପ୍ରକାଶ କରିବି ବୋଲି ସେ କହିଛନ୍ତି । ଏହାସହ ବିଜେଡି ଦଳର ଅନ୍ୟ ପଦପଦବୀରେ ଥିବା ଲୋକଙ୍କ ବାବଦରେ କହିବାକୁ ଯାଇ ସେ କହିଛନ୍ତି କି ଦଳର ପଦ ପଦବୀରେ ଥିବା ଲୋକମାନେ ପ୍ରାୟ କିଛି କରନ୍ତି ନାହିଁ । ଏହି ପଦ ଏକ ଆଳଙ୍କାରିକ ଥିବାରୁ ତାହାକୁ ହରାଇବା ପରେ ମଧ୍ୟ କିଛି ହରାଇବା ଭଳି ଅନୁଭବ କରୁନଥିବା କଥା କହିଛନ୍ତି ସୌମ୍ୟ ।

Advertisment

ସବୁଠାରୁ ବଡ କଥା ହେଉଛି କି ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ବହିସ୍କୃତ ନେଇ ଯେଉଁ ଚିଠି ଆସିଛି ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟରଞ୍ଜନ । ସେ କହିଛନ୍ତି କି ଏହି ଦସ୍ତଖତ ଅସଲି କି ନକଲି ତାହା ସନ୍ଦେହ ଘେରରେ ବୋଲି ସେ କହିଛନ୍ତି । ଏହାର କାରଣ ଦର୍ଶାଇ ସେ କହିଛନ୍ତି କି ମୁଁ ଗୋଟିଏ ସପ୍ତାହ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ୨ ମିନିଟର ସମୟ ମାଗିଥିଲି । ହେଲେ ସେ ସମୟ ତ ମୋତେ ମିଳିଲା ନାହିଁ, ତା ବଦଳରେ ଆଜିର ଏହି ବରଖାସ୍ତ ନିର୍ଦ୍ଦେଶନାମା ମିଳିଛି ବୋଲି ସେ କହିଛନ୍ତି । ଏହି କାରଣରୁ ବରଖାସ୍ତ ଚିଠିରେ ଥିବା ଦସ୍ତଖତ ଅସଲି କି ନକଲି ତାହା ସନ୍ଦେହ ଘେରରେ ବୋଲି ସେ କହିଛନ୍ତି ।

ସେପଟେ ବିନା କାରଣ ଦର୍ଶାଅ ନୋଟିସରେ ସୌମ୍ୟଙ୍କୁ କିଭଳି ପଦରୁ ବାହାର କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି କି, ଏକଥା କେବଳ ବରଖାସ୍ତ କରିଥିବା ଲୋକ ହିଁ କହିପାରିବେ । ବିଜେଡି ସଭାପତିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସୌମ୍ୟଙ୍କ ଉପରେ କିଛି ପ୍ରଭାବ ପଡିବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି , ମୁଁ ଦଳର ଉପ ସଭାପତି ପଦରେ ରହି କଣ କରୁଥିଲି କି ପଦରେ ନରହିଲେ ତାର ପ୍ରଭାବ ପଡିବ ।

କହିରଖୁ କି, ସୌମ୍ୟରଞ୍ଜନ ସତ କହିବାରୁ ତାହାକୁ ସହଜରେ ହଜମ କରିପରିନାହିଁ ବିଜେଡି । ଦଳୀୟ ଉପସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ହଟାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଫାଇଭ-ଟି ସଚିବଙ୍କୁ ସମାଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସମ୍ବାଦରେ ସମ୍ପାଦକୀୟ ଲେଖି ୫ଟି ସଚିବଙ୍କୁ ସମାଲୋଚନା କରିଥିଲେ ସୌମ୍ୟ । ଆମ ଘର ହାଲଚାଲରେ କରିଥିଲେ ସମାଲୋଚନା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାହିଁକି ଉପସଭାପତି ପଦରୁ ସୌମ୍ୟଙ୍କୁ ହଟାଇ ଦିଆଗଲା ସେନେଇ କୌଣସି କାରଣ ଦର୍ଶାଯାଇନାହିଁ ।