କନକ ବ୍ୟୁରୋ : ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଶକ୍ତ ଜବାବ । ମନ୍ତ୍ରୀ କହିଥିଲେ, ଅଭିଯୋଗ ଥିଲେ ଦଳୀୟ ଫୋରମରେ କହିବାର ଥିଲା । ଆଉ ଏହାର ଜବାବ ଦେଇ ସୌମ୍ୟ ପଟ୍ଟନାୟକ ପଚାରିଛନ୍ତି, ଦଳୀୟ ଫୋରମ୍ କ’ଣ ତୃତୀୟ ମହଲାରେ ଅଛି କି । ଖଣ୍ଡପଡା ବିଧାୟକ କହିଛନ୍ତି, ପ୍ରତାପଙ୍କୁ ଧନ୍ୟବାଦ ଯେ ମୋ କଥା ତାଙ୍କୁ କିଛି ପରିମାଣରେ ଆଘାତ ଦେଇଛି । ମୁଁ କେବେବି ଦଳ ବିରୋଧୀ କଥା କହିନାହିଁ । ଯାହା କହିଛି ଦଳର ହିତ ପାଇଁ । କାହା କଥାରେ ହଁ ଭରିବା ବ୍ୟକ୍ତି ମୁଁ ନୁହେଁ ।

Advertisment

ମୁଁ ବିଜେଡିକୁ ଭଲ ପାଏ । ବିଜୁ ଜନତା ଦଳ ଏକ ଶକ୍ତିଶାଳୀ ଦଳ । ଦଳରେ ଥାଇ ଗର୍ବ ଅନୁଭବ କରୁଛି । ମୁଁ କାହିଁକି ଦଳ ଛାଡ଼ିବି । ଯଦି ମୋତେ ନିଲମ୍ବନ କରିବାର ଅଧିକାର ଅଛି, ତାହେଲେ କରିପାରିବେ । ସୌମ୍ୟ ଆହୁରି କହିଛନ୍ତି, ସମ୍ପାଦକୀୟ ନେଇ ମୋତେ କେହି ନିର୍ଦ୍ଦେଶ ଦେଇପାରିବେନି । ମୁଁ ଯାହା ଲେଖିଛି ଦଳର ମଙ୍ଗଳ ପାଇଁ । ଦଳର ଦୋଷ ଦୁର୍ବଳତା ସୁଧାରିବା ମୋର ଦାୟିତ୍ୱ ବୋଲି ସୌମ୍ୟ କହିଛନ୍ତି । ସେହିପରି ଦଳୀୟ ଫୋରମ କଥାକୁ ନେଇ ପାଲଟା ପ୍ରଶ୍ନ କରିଛନ୍ତି ଖଣ୍ଡପଡ଼ା ବିଧାୟକ । ଦଳୀୟ ଫୋରମ୍ କ’ଣ ତୃତୀୟ ମହଲାରେ ଅଛି କି ବୋଲି ପଚାରିଛନ୍ତି ସୌମ୍ୟ । ସେହିପରି ସୌମ୍ୟ ଫାଇଭ-ଟି ସଚିବଙ୍କୁ ମଧ୍ୟ ଶାଣିତ ଢଙ୍ଗରେ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୁରାଇବା ଉଚିତ ନୁହେଁ ।

ଆମ ଦଳରେ କ’ଣ କେହି ନେତା ନାହାନ୍ତି । ଜଣେ ଦୁଇଜଣ ଆଇଏଏସ୍ ଅଫିସର କ’ଣ ଦଳ ସମ୍ଭାଳିବେ? ଯଦି ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା ଅଛି, ତାହେଲେ ଇସ୍ତଫା ଦେଇ ଦିଅନ୍ତୁ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଏଥିରେ ଆପତି ନାହିଁ । ଫାଇଭ-ଟି ସଚିବ ରାଜନୀତି କରିପାରିବେ ନାହିଁ ବୋଲି ସିଧାସିଧା କହିଛନ୍ତି ସୌମ୍ୟ । ସୌମ୍ୟ ଆହୁରି କହିଛନ୍ତି, ବିଜୁ ଜନତା ଦଳ କାହାର ପୈତୃକ ସମ୍ପତି ନୁହେଁ । ମୁଖ୍ୟମନ୍ତ୍ରୀ ଭାଗ୍ୟବାନ ଯେ, ଦଳକୁ ବହୁତ ଲୋକ ସମର୍ଥନ କରୁଛନ୍ତି । କିଛି ମୁଷ୍ଟିମେୟ ଦଳକୁ କବଜା କରିଛନ୍ତି । ଆଉ ସବୁକଥା ମୁଖ୍ୟମନ୍ତ୍ରୀଙ୍କ ନାଁରେ ଟାଳିଦେଇ ଚଳାଉଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି ।