ପୁଅର ଦାଦାଗିରି : ପୁଣି ବିବାଦରେ ବିଧାୟକ ବଦ୍ରିନାରାୟଣ

615

କନକ ବ୍ୟୁରୋ : ପୁଣି ବିବାଦରେ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ । ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଦାଦାଗିରିର ଭିଡିଓ ଅନେକ ସମୟରେ ସାମ୍ନାକୁ ଆସେ । ଏବେ ମଣ୍ଡିରେ ଧାନ ଉଠାକୁ ନେଇ ପୁଣିଥରେ ବିବାଦକୁ ଆସିଛନ୍ତି ଦେବାଶିଷ । କେନ୍ଦୁଝର ଜିଲ୍ଲା ରାମଚନ୍ଦପୁର ଥାନା ଗଡବାନ୍ଧଗୋଡା ସମବାୟ ସମିତିରେ ଦେବାଶିଷ ବୁଲୁଥିବାର ଏକି ଭିଡିଓ ସାମ୍ନାକୁ ଆସିଥିଲା । ଏଥିରେ ସେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ଧାନ ମଣ୍ଡିରେ ନଉଠିବାକୁ ନେଇ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଅତି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି ବିଧାୟକଙ୍କ ପୁଅ ।
ତେବେ ତାଙ୍କୁ ପ୍ରତିବାଦ ହେବାରୁ ସେଠାରୁ ଫେରିଆସିଥିଲେ ଦେବାଶିଷ । ପରେ ପୁଣି ନିଜ ସମର୍ଥକଙ୍କ ସହ ସେଠାକୁ ଯାଇଥିବାବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି ଦେବାଶିଷ । ତାଙ୍କ ଭିଡିଓ କରି ଭାଇରାଲ କରିଥିବା ଗୋଷ୍ଠୀ ଏବଂ ଦେବାଶିଷଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଛି । ହାତରେ ଠେଙ୍ଗାବାଡି ଧରି ଉଭୟ ପକ୍ଷ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଥିଲେ । ହେଲେ ପ୍ରଥମଥର ପାଇଁ ନିଜ ଗାଁ ଗଡବାନ୍ଧଗୋଡାରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ । ଏହାପରେ ଦେବାଶିଷ ଗୋଷ୍ଠୀ ସେଠାରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଘଟଣାକୁ ନେଇ ଚାପା ଉତେଜନା ଲାଗିରହିଛି ।