କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୈତିକ ବୟାନବାଜି ଥମିବାର ନାଁ ନେଉନାହିଁ । ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା । ଆଉ ଆଜି ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ଶଶୀଭୂଷଣ କହିଛନ୍ତି, ଯେଉଁମାନଙ୍କୁ ଅର୍ଥନୈତିକ ରାଜନୀତି ଦେଖାଯାଏନି ସେମାନେ ଏହିଭଳି କଥାକୁ ନେଇ ରାଜନୀତି କରିଥାନ୍ତି । ଏହା ଓଡ଼ିଶାର ଜନ ସାଧାରଣଙ୍କ ଭାବାବେଗ ସହ ଜଡିତ । ଆମର ପରମ୍ପରା, ଆମର ସଂସ୍କୃତି, ଆମର ଐତିହ୍ୟକୁ ସୁରକ୍ଷିତ ରଖିବା ଓ ଅଧିକ ଆକର୍ଷଣୀୟ କରିବା ଏ ହେଉଛି ଆଜିର ସରକାରଙ୍କ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ଅନ୍ୟ ଏକ କାର୍ଯ୍ୟକ୍ରମ ।
ଦୁଃଖ ଓ ପରିତାପର ବିଷୟ ବିରୋଧୀ ଦଳ କୌଣସି ଅର୍ଥନୈତିକ କାର୍ଯ୍ୟକ୍ରମକୁ ଗଲାଭଳି ଜଣା ପଡୁ ନାହିଁ । ଏବଂ ଏହି ଧାର୍ମିକ କଥାରେ ଲୋକଙ୍କ ଭାବାବେଗ ରଖିକି ରାଜନୀତି କରିବା ପାଇଁ ଚାହୁଁଛନ୍ତି । ତାହା ଦୁର୍ଭାଗ୍ୟଜନକ । ଯେତେ ଆନ୍ଦୋଳନ କଲେ ବି ଓଡିଶାବାସୀ ଗ୍ରହଣ କରିବେ ନାହିଁ । ଓଡିଶାବାସୀ ତାଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସହିତ ସବୁବେଳେ ରହିଛନ୍ତି ଏବଂ ଆଗକୁ ମଧ୍ୟ ରହିବେ ।
ଏହାଛଡା ଗତକାଲି ବିଜେଡି ପକ୍ଷରୁ ପରିକ୍ରମା ପ୍ରକଳ୍ପକୁ ନେଇ ବଡ ବୟାନ ଆସିଥିଲା । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେନିନ କହିଥିଲେ ଯେ, ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଓଡିଶା ସରକାରଙ୍କ ନିକଟକୁ ଆସିଥିଲା ଯାହାକୁ ସରକାର ଅନୁମୋଦନ କରିପାରିଥାନ୍ତେ । କିନ୍ତୁ ଏହା କରିବା ବଦଳରେ ପ୍ରକଳ୍ପକୁ ଓଡିଶା ବିଧାନସଭା ମାଧ୍ୟମରେ ଓଡିଶାର ଲୋକଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଠାରେ ଏହି ଯୋଜନାଟି ସମସ୍ତ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଯୋଜନା ଅନୁମୋଦନ ହେବା ପରେ ଏହାକୁ ଜାତୀୟ ଐତହ୍ୟ ପ୍ରାଧିକରଣକୁ ପଠାଯାଇଥିଲା ଯିଏ କି ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ଏନଏମଏର ଅନୁମୋଦନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ପରେ କାମ ଆରମ୍ଭ ହୋଇଥିଲା ।
ଏଏସଆଇ କିଛି ପରାମର୍ଶ ଦେଇଥିଲା ଯାହା ବିଧିବଦ୍ଧ ଭାବରେ ସାମିଲ କରାଯାଇଥିଲା ଏବଂ ସେହି ଅନୁଯାୟୀ ସଂଶୋଧନ କରାଯାଇଥିଲା । ସାଧାରଣ ଲୋକ ଏବଂ ବିଭିନ୍ନ ସଂଗଠନ ସହିତ ପରାମର୍ଶ କରିବା ପରେ, ଓଡ଼ିଶା ବିଧାନସଭା ଦ୍ୱାରା ଏହି ଯୋଜନାକୁ ସର୍ବସମ୍ମତି କ୍ରମେ ପାସ୍ କରିବା ଏବଂ ପରବର୍ତ୍ତୀ ସମୟରେ ଏନଏମଏ ଦ୍ୱାରା ଏହି ଯୋଜନା ଅନୁମୋଦନ ହେବାପରେ କାର୍ୟ୍ୟକାରୀ ହେଉଛି । ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ଆଶା କରାଯାଉଛି ଯେ ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ ବୋଲି କହିଥିଲେ ଲେନିନ୍ ।