ଯେଉଁ ମା’ ପୁଅକୁ ହରାଏ ସିଏ ଅଧିକ ଦୁଃଖୀ, ନା ମାଉସୀ ଅଧିକ ଦୁଃଖୀ ହେବ : ପ୍ରଫୁଲ୍ଲ ସାମଲ

246

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବିଜେଡି ନେତା ଓ କର୍ମୀ ସବୁଠୁ ଅଧିକ ମର୍ମାହତ । ସେକଥା କଣ ଡେଙ୍ଗୁରା ପିଟି କହିବୁ । ଯେଉଁ ମା’ ନିଜ ପୁଅକୁ ହରାଏ ସେ ଯେତିକି ଦୁଃଖୀ, ତାହା ଠାରୁ କଣ ଅଧିକ ମାଉସୀ ଦୁଃଖୀ ହୋଇପାରିବ । କିଛି ଏଭଳି କହି ବିଜେପିକୁ ତାତ୍ସଲ୍ୟ କରିଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ଏହାସହ ପ୍ରଫୁଲ୍ଲ କହିଛନ୍ତି, ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବୁ କି ଏଭଳି ଘଟଣା ପୁନରାବୃତ୍ତି ନ ଘଟୁ ।

ବିଜେପିକୁ ଟାର୍ଗେଟ କରିବା ସହ ପ୍ରଫୁଲ୍ଲ କହିଛନ୍ତି, ବିରୋଧୀ ସବୁବେଳେ ଅଭିଯୋଗ କରନ୍ତି ଠିକ ହେଉନି, ଠିକ ହୋଇଗଲେ ଚୁପ ହୋଇ ରୁହନ୍ତି । ସେମାନେ କେମିତି ଜାଣିଲେ ତଦନ୍ତ ଠିକ ହେଉନି, ଜଜଙ୍କ ତତ୍ୱାବଧାନରେ ତଦନ୍ତ ହେଉଛି, ଜଜ କୁହନ୍ତୁ ସରକାର ସହଯୋଗ କରୁନାହାନ୍ତି ବୋଲି । ସରକାର ସବୁଥିରେ ସହଯୋଗ କରୁଛନ୍ତି । ଅପେକ୍ଷା କରନ୍ତୁ ଖୁବ ଶୀଘ୍ର ଦୋଷୀ ଧରାପଡିବ ।

ଏହାସହ ଜୟନାରାୟଣଙ୍କୁ ନେଇ ପ୍ରଫୁଲ୍ଲ କହିଛନ୍ତି, କଟକରୁ ସମ୍ବଲପୁର ଦୁର୍ଘଟଣାରେ ବହୁତ ଲୋକ ମଲେଣି ଏକଥା ସେ ବିଧାନସଭାରେ କହିଛନ୍ତି । ତେଣୁ ସେ ଗାଡି ଚଢିବା ବନ୍ଦ କରନ୍ତୁ ଏବଂ କଟକରୁ ଭୁବନେଶ୍ୱର ଆସିବା ବନ୍ଦ କରିଦିଅନ୍ତୁ । ଆକ୍ରମଣ ପ୍ରତି ଆକ୍ରମଣ ଚାଲି ରହିଛି, ଚାଲିବ।  ବ୍ୟକ୍ତି ଉପରେ ଦୋଷ ଦେବା ଉଚିତ କିନ୍ତୁ ପୁରା ପୋଲିସ ବାହିନୀ ଉପରେ ଦୋଷ ଦେବା ଉଚିତ ନୁହେଁ । ପ୍ରଫୁଲ୍ଲ ସାମଲ ଯଦି କାର୍ଯ୍ୟରେ ଅବହେଳା କଲା ତା ବୋଲି ନୁହେଁ ସବୁ ବିଧାୟକମାନେ ଅବହେଳା କଲେ । ଜଣେ ପୋଲିସ ଅଫିସର ଖରାପ ବ୍ୟବହାର କରିପାରେ ତା ନୁହେଁ ସମଗ୍ର ବାହିନୀ ଦାୟୀ ରହିବ ତାହା ଠିକ ନୁହେଁ ବୋଲି କହିଛନ୍ତି ପ୍ରଫୁଲ୍ଲ ।