ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ । ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପ୍ରଦୀପ, କରୋନା ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ । 

655

କନକ ବ୍ୟୁରୋ : ପରଲୋକରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ । କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିବା ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଉ ଆଜି ଚିକିତ୍ସାଧୀନ ଅବସ୍ଥାରେ ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ ।

ପିପିଲି ବିଧାନସଭା ଆସନରୁ ୭ ଥର ବିଧାୟକ ରହି ଆସିଥିବା ପ୍ରଦୀପ ନବୀନ ସରକାରରେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୧୯୮୫ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଦୀପ ୨୦୧୧ ମସିହାରେ ପ୍ରଥମ ଥର ପାଇଁ କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ନବୀନଙ୍କ ଚତୁର୍ଥ ପାଳିରେ କୃଷି ସହ ମତ୍ସ୍ୟ ଓ ପଶୁ ସମ୍ପଦ, ପଞ୍ଚାୟତିରାଜ ବିଭାଗର ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ । ନବୀନଙ୍କ ଗୁଡବୁକରେ ରହିଥିବା ପ୍ରଦୀପ ୨୦୧୯ରେ ବିପୁଳ ଭୋଟରେ ବିଜୟ ସହ ସପ୍ତମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭିନ୍ନ ଏକ ଅନ୍ଦାଜ ଓ ଯାତ୍ରା ଶୈଳୀରେ ଡାଇଲଗ ପାଇଁ ବେଶ ଲୋକପ୍ରିୟ ଥିଲେ ପ୍ରଦୀପ ।

ଏହାପୂର୍ବରୁ ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପରିବାର ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦୀପଙ୍କ ଆଶୁ ଆରୋଗ୍ୟ କାମନା ସହ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହ କଥା ହୋଇଥିଲେ ନବୀନ ।