ଭି.କେ. ପାଣ୍ଡିଆନ ଯୋଗଦେବା ପରେ ଚଳଚଞ୍ଚଳ ବିଜେଡି ଶିବିର । ଭେଟୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ବର୍ଗର ଲୋକ । ଆଗକୁ ବଡ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା

220

କନକ ବ୍ୟୁରୋ: ବିଜେଡିରେ ଭି.କେ. ପାଣ୍ଡିଆନ ସାମିଲ ହେବା ପରେ ଚଳଚଞ୍ଚଳ ହୋଇଛି ଦଳୀୟ ଶିବିର । ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଧାୟକ, ନେତା ଓ ବିଭିନ୍ନ ସଙ୍ଗଠନର ସଦସ୍ୟ । ତାଙ୍କୁ ଦଳର ଏବେ କେଉଁ ଭୂମିକା ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, ପାଣ୍ଡିଆନଙ୍କୁ ବିଜେଡିରେ ବଡ ଦାୟିତ୍ୱ ମିଳିପାରେ । ଆଉ ବିଜେଡି ନେତାଙ୍କ ବୟାନ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ନବୀନ ନିବାସରେ ଜମୁଛି ନେତା ଓ ବିଭିନ୍ନ ବର୍ଗର ଲୋକଙ୍କ ଭିଡ । ବିଧାୟକ, ନେତା ଓ ବିଭିନ୍ନ ସଂଗଠନର ଲୋକ ପାଣ୍ଡିଆନଙ୍କୁ ଭେଟୁଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପ୍ରୀତି ରଞ୍ଜନ ଘଡାଇ, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମଦୁଲି, ବିଧାୟକ ସ୍ନେହାଙ୍ଗିନି ଛୁରିଆଙ୍କ ସମେତ ଦଳର ବହୁ ବିଧାୟକ ଓ ନେତା ପାଣ୍ଡିଆନଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି ।

ତେବେ ଦଳର ପ୍ରାଥମିକ ସଦସ୍ୟ ଭାବରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ ବି ତାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ସେ ଆଗାମୀ ନିର୍ବାଚନରେ ବିଜେଡିର ମୁଖ୍ୟ ରଣନୀତିକାର ହେବେ ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି, ଆଗାମୀ ଦିନରେ ଦଳରେ ତାଙ୍କୁ ବଡ ଦାୟିତ୍ୱ ମିଳିପାରେ । ଯଦିଓ ବିଜେଡି ସୁପ୍ରିମୋ କିମ୍ବା ପାଣ୍ଡିଆନ ନିଜେ ଏ ସମ୍ପର୍କରେ କିଛି କହି ନାହାନ୍ତି, ତଥାପି ଦଳୀୟ ନେତାମାନଙ୍କ ବୟାନ, ଚର୍ଚ୍ଚାକୁ ଖୋରାକ ଯୋଗାଉଛି । କେବଳ ଏତିକି ନୁହେଁ, ୨୦୨୪ ନିର୍ବାଚନରେ ପାଣ୍ଡିଆନ କେଉଁ ଆସନରୁ ଲଢ଼ିବେ ସେ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।