ମଣ୍ଡି ସମସ୍ୟା ଓ ବିଜେପି ବିଧାୟକଙ୍କ କ୍ଷମା ପାର୍ଥନା ଦାବିରେ ଅଚଳ ବିଧାନସଭା । ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି ।

98

କନକ ବ୍ୟୁରୋ: ବିଧାନସଭା ଗୃହ ଭିତରେ ହୋ-ହଲ୍ଲା ଓ ପ୍ରତିବାଦ । ଗୃହ ବାହାରେ ବିକ୍ଷୋଭ ଓ ଶୋଭାଯାତ୍ରା କରିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଶାସକ ଦଳର ଏକା ଜିଦ୍, ସାନିଟାଇଜର ପିଇବା ଘଟଣାରେ କ୍ଷମା ମାଗନ୍ତୁ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଦଳର ଅଭିଯୋଗ, ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରି ଗୃହର ଗାରିମା ଓ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବିଜେପି ବିଧାୟକ । ଘଟଣାକୁ ଦଳୀୟ ମହଲରେ ନିନ୍ଦା କରିବା ସହ ରାଜରାସ୍ତାରେ ଶୋଭାଯାତ୍ରା କରିଛି ଦଳ ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କିନ୍ତୁ କହିଛନ୍ତି, ଚାଷୀଙ୍କ ଧାନ ନକିଣି ରାଜଭବନ ଯାଇ ଡ୍ରାମା କରୁଛି ବିଜେଡି । ୫ ଦିନ ହେବ ଗୃହ ଅଚଳ ହୋଇଥିବା ବେଳେ କାହିଁକି ମୁଖ୍ୟମନ୍ତ୍ରୀ ଆସୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛି ବିଜେପି । ସେପଟେ ଧାନମଣ୍ଡି ଅବ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ବ୍ୟବସାୟୀଙ୍କ ଧାନ କିଣିବେ ନାହିଁ ସରକାର । କୁମ୍ଭୀର କାନ୍ଦଣା ନକାନ୍ଦି ବକେୟା ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ବିଜେପି ନେତା କୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ରଣେନ୍ଦ୍ର । ତା ସହ ୬୧ ଲକ୍ଷ ଟନ୍ ଧାନ କିଣାଯାଇଥିବା କହିଛନ୍ତି ମନ୍ତ୍ରୀ ।

ସେପଟେ କଂଗ୍ରେସ କହିଛି, ବିଧାୟକ କ୍ଷମା ମାଗିବା ବଡ଼ କଥା ନୁହେଁ, କିପରି ଗୃହ ଚାଲିବ ସେକଥା ଚିନ୍ତା କରିବା ଉଚିତ । ଶାସକ ଦଳର ସଦସ୍ୟ ଗୃହର ମଧ୍ୟଭାଗକୁ ଆସିବା ଠିକ ନୁହେଁ କହିବା ସହ ଗୃହକୁ ସ୍ୱାଭାବିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

୫ ଦିନ ଧରି ଗୃହ ଅଚଳ ହୋଇଥିବା ବେଳେ ଏବେ ମୂଳ ପ୍ରସଙ୍ଗ ଗୌଣ ହୋଇଯାଇଛି । ବିଜେଡି ଓ ବିଜେପି ଭିତରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଗୋଟିଏ ଦିନ ବିଧାନସଭା ଚାଲିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ମୌଳିକ ପ୍ରଶ୍ନ ହେଉଛି, କାହିଁକି ଚାଲିପାରୁନି ଗୃହ? ରାଜ୍ୟର ବିକାଶ ପାଇଁ ବହୁ ପ୍ରସଙ୍ଗ ଥିବା ବେଳେ ଗୃହକୁ ଅଚଳ କରିବା ପାଇଁ ଦାୟୀ କିଏ?