କନକ ବ୍ୟୁରୋ : ନବୀନଙ୍କ ନୂଆ ଟିମ୍ । ଆସନ୍ତାକାଲି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରୀମଣ୍ଡଳ ସହ ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ କରିବେ ନବୀନ । ତେବେ ନୂଆ ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଏସବୁ ଭିତରେ ନବୀନ ନିବାସରୁ ଜଣକ ପରେ ଜଣେ ବିଧାୟକଙ୍କ ନିକଟକୁ ଫୋନ କଲ ଆସିବା ଆରମ୍ଭ ହୋଇଛି ।

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶପଥ ନେବା ପୂର୍ବରୁ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ପରେ ମନ୍ତ୍ରୀମଣ୍ଡଳରେ କାହାକୁ ସାମିଲ କରାଯିବ ସେନେଇ ନବୀନ ନିବାସରେ ଅଙ୍କ କଷା ଚାଲିଛି । ଏସବୁ ଭିତରେ ନବୀନ ନିବାସରୁ ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ପ୍ରଥମ କଲ ଆସିଥିବା ଜଣାପଡିଛି । ସେହିଭଳି ଅନ୍ୟ ବିଧାୟକଙ୍କୁ ପର୍ଯ୍ୟାୟ କ୍ରମେ ଫୋନ୍ କଲ ଯାଉଥିବା ଜଣାପଡିଛି । ନିମାପଡା ବିଧାୟକ ସମୀର ଦାଶଙ୍କ ପାଖକୁ ମଧ୍ୟ କଲ ଆସିଥିବା ଜଣାପଡିଛି ।

ଟିଟିଲାଗଡ ବିଧାୟିକା ଟୁକୁନି ସାହୁଙ୍କୁ ମଧ୍ୟ ନବୀନ ନିବାସରୁ କଲ ଯାଇଛି । ଟୁକୁନି ସାହୁ ଦ୍ୱିତୀୟ ଥର ପାଇଁ ବିଧାୟିକା ନିର୍ବାଚିତ ହୋଇଛନ୍ତି । ସେହିଭଳି ଏକାମ୍ର ଭୁବନେଶ୍ୱରରୁ ବିଜେଡିର ବରିଷ୍ଠ ବିଧାୟକ ଅଶୋକ ପଣ୍ଡାଙ୍କ ନିକଟକୁ ମଧ୍ୟ କଲ ଆସିଛି । ଝାରସୁଗୁଡା ବିଧାୟକ ନବ ଦାସ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଆସନ୍ତକାଲି ଶପଥଗ୍ରହଣ ପାଇଁ ନବୀନ ନିବାସରୁ କଲ୍ ଆସିଛି ।ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଓ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିକଟକୁ ମଧ୍ୟ ନବୀନ ନିବାସରୁ କଲ ଯାଇଥିବା ସ୍ପଷ୍ଟ ହୋଇଛି । ଯେଉଁମାନଙ୍କର ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ସେମାନଙ୍କ ନିକଟକୁ କଲ ଯାଉଥିବା ଜଣାପଡିଛି ।