ସରକାରଙ୍କ ଟିଆରପି ବଢିଛି କି କମିଛି ତାହା ଓଡ଼ିଶାବାସୀ କହିବେ, ବିଜେପି ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି : ବିଜେଡି ବିଧାୟକ ଧ୍ରୁବ ସାହୁ

112

କନକ ବ୍ୟୁରୋ : ବାରମ୍ବାର ଗୃହ ମୁଲତବିକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଶାସକ ଦଳକୁ ଟାର୍ଗେଟ କରିବା ପରେ ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ଶାସକଦଳର ଟିଆରପି କମୁଛି ବୟାନରେ ଧ୍ରୁବ କହିଛନ୍ତି ସରକାରୀ ଦଳର ଟିଆରପି କମିଛି କି ନାହିଁ ତାହା ଲୋକେ କହିବେ । ଅତୀତରେ ସରକାରଙ୍କ ଟିଆରପି ଉପରେ ଲୋକେ ମୋହର ଲଗାଇଛନ୍ତି, ଆଗାମୀ ଦିନରେ ଆହୁରି ଲଗାଇବେ । ଆଲୋଚନା ମାଧ୍ୟମରେ ଗୃହ କାର୍ଯ୍ୟ ସ୍ୱାଭାବିକ ହେବ ବୋଲି କହିଛନ୍ତି ଧ୍ରୁବ ।

ଏହାବାଦ୍ ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ବିରୋଧୀ ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି । ସାରା ଦେଶରେ କୃଷକ ମାନେ ଏବେ ବିଜେପିର ବିରୋଧୀ ସାଜିଛନ୍ତି । ବିଜେପି ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି, ଏଭଳି ସ୍ଥଳେ ଆନ୍ଦୋଳନରୁ ଓଡ଼ିଶାବାସୀଙ୍କ ନଜର ହଟାଇବାକୁ ସୁବାସ ପାଣିଗ୍ରାହୀଙ୍କ ଜରିଆରେ ନାଟକବାଜି କରିଛନ୍ତି । ଆଉ ସୁବାସଙ୍କ ଏଭଳି କାମକୁ ସମର୍ଥନ କରି ଗଣତନ୍ତ୍ରର ଗାରିମା ନଷ୍ଟ କରିଛି ବିଜେପି । ତେଣୁ ଯେତେବେଳ ଯାଏଁ ଏନେଇ ସୁବାସ କ୍ଷମା ମାଗିନାହାନ୍ତି ସେତେବେଳେ ଯାଏଁ ଗୃହ ଚାଲିପାରିବ ନାହିଁ । ସୁବାସ କ୍ଷମା ମାଗିବା ପରେ ଗୃହ ଚଳାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।