ଖରାରେ ପ୍ରଚାର କରୁଥିଲେ ନେତା, ଘରକୁ ଡାକି ପଖାଳ ଖୁଆଇଲେ ଜନତା । ଭୋଟରଙ୍କ ଘରେ ଯୋଗେଶ ସିଂହ ଉଠାଇଲେ ପଖାଳର ମଜା…

349

କନକ ବ୍ୟୁରୋ: ମୁଣ୍ଡ ଉପରେ ନିର୍ବାଚନ, ମୁଣ୍ଡ ଉପରେ ଖରା । ଡହଡହ ଖରାରେ ନେତାଙ୍କ ଝାଳବୁହା ପ୍ରଚାର । ନିର୍ବାଚନ ଯେତିକି ଯେତିକି ପାଖଉଛି ନେତାଙ୍କ ପ୍ରଚାର ସେତିକି ଜୋରଦାର ହେଉଛି । ଖରାର ତାତି ପ୍ରବଳ ଥିଲେ ବି ନେତାଏ ନିଜ ଭାଗ୍ୟ ତିଆରି ପାଇଁ ଖରାକୁ ଖାତିର କରୁ ନାହାନ୍ତି । ଡହଡହ ଖରାରେ ବି ପ୍ରଚାରକୁ ବାହାରିଯାଉଛନ୍ତି । କାରଣ ନେତାଙ୍କ ପାଖରେ ଗୋଟେ ସେକେଣ୍ଡ ବି ଗୁରୁତ୍ୱପୂର୍ଣ୍ଣ । ତେଣୁ ଖରା ହେଉ କି ବର୍ଷା ଅବା ହେଉ ରାତି ପ୍ରଚାରକୁ ରକେଟ୍ ବେଗରେ ନେଉଛନ୍ତି ନେତା । ଆଉ ଏହି ପ୍ରଚାର ସମୟରେ ସୁନ୍ଦରଗଡରୁ ଆସିଛି ଏକ ରୋଚକ ଏବଂ ନିଆରା ଚିତ୍ର । ଯେଉଁଠି ଖରାରେ ବୁଲୁଥିବା ନେତାଙ୍କୁ ନିଜ ଘରକୁ ଡାକି ପଖାଳ ଖାଇବାଦୁ ଦେଇଛନ୍ତି ଜନତା ।

ତେବେ ଘଟଣା ଥିଲା ଏହିପରି । ପ୍ରବଳ ଖରାରେ ଯେତେବେଳେ ଆଜି ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକରେ ମାରାଥନ ପ୍ରଚାର କରୁଥିଲେ ସୁନ୍ଦରଗଡ ବିଧାନସଭା ବିଜେଡି ପ୍ରାର୍ଥୀ ଯୋଗେଶ ସିଂହ । ଠିକ୍ ସେତେବେଳେ ଖରାରେ ବୁଲିବୁଲି ପ୍ରଚାର କରିବାକୁ ଯାଇଥିବା ନେତାଙ୍କ କଷ୍ଟକୁ ଦେଖି ପାରିନଥିଲେ ଜନତା । ଟାଙ୍ଗରପାଲି ବ୍ଲକର କରିପସିରା ଓ ନିଆଲିପାଲି ପଞ୍ଚାୟତର ୨୦ରୁ ଅଧିକ ଗାଁରେ ପ୍ରଚାର କଲା ବେଳେ ଘରକୁ ଘର ଯାଇ ଭୋଟ୍ ମାଗୁଥିଲେ ଯୋଗେଶ । ଆଉ ଏତିକି ବେଳେ ଖମାରବାହାଲ ଗାଁର ଜଣେ ବୃଦ୍ଧା ଯୋଗେଶଙ୍କୁ ଖରାରେ ପ୍ରଚାର କରୁଥିବାର ଦେଖି ନିଜ ଘରକୁ ଡାକି ଆଣିଥିଲେ ଆଉ ନିଜେ ରାନ୍ଧିଥିବା ପଖାଳ, ଶାଗ ଓ ଖଟା, ବଡି ଓ କଞ୍ଚାଲଙ୍କା ଖାଇବାକୁ ଦେଇଥିଲେ ।

ଏତେ ଖରାରେ ହଠାତ୍ ପଖାଳ କଂସା ମିଳିଯାଇଥିବାରୁ ଖୁସି ହୋଇଥିଲେ ଯୋଗେଶ ଆଉ ସାଙ୍ଗେସାଙ୍ଗେ ବୃଦ୍ଧାଙ୍କ ନିମନ୍ତ୍ରଣ ରକ୍ଷା କରି ତଳେ ବସି ଯାଇଥିଲେ । ନିଜ ସରଳ ଜୀବନକୁ ନେଇ ଚର୍ଚ୍ଚା ରହୁଥିବା ଯୋଗେଶ ବୃଦ୍ଧାଙ୍କ ପରିବାରବର୍ଗଙ୍କ ସହ ମିଶି ପେଟେ ପଖାଳର ମଜା ନେଇଥିଲେ ଓ ପରେ ପ୍ରଚାରକୁ ବାହାରିଥିଲେ ।