ମୂର୍ତ୍ତି ଉଚ୍ଚତାକୁ ନେଇ ବିଜେଡି-ବିଜେଡି ମୁହାଁମୁହିଁ । ସେପଟେ ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଲା ବିଜେପି ।

174

କନକ ବ୍ୟୁରୋ: ମୂର୍ତ୍ତି ଉଚ୍ଚତାକୁ ନେଇ ଦୁଇ ଭାଗ ହୋଇଛନ୍ତି କଟକର ବିଜେଡି ନେତା । ଉଚ୍ଚତା କମିଲେ ପୂଜାରେ ବିଘ୍ନ ହେବ ବୋଲି କଟକ ଶାନ୍ତି କମିଟି ବୈଠକରେ ଭର୍ତ୍ତୃହରି ମହତାବ କହିବା ପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ସାଂସଦଙ୍କ ବୟାନ ସହରରେ ଅଶାନ୍ତି ସୃଷ୍ଟି କରିବ ବୋଲି ମତ ଦେଇଛନ୍ତି ଦେବାଶିଷ । ତେବେ ସଂକ୍ରମଣ ବଢ଼ିଲେ ସେଥିପାଇଁ କିଏ ଦାୟୀ ରହିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ପାର୍ବଣରେ ଦେବୀ ମୂର୍ତ୍ତି ଉଚ୍ଚତା କଟକଣାକୁ ସରକାର ବଳବତ୍ତର ରଖିବା ପରେ ଶନିବାର ଦିନ କଟକରେ ଶାନ୍ତି କମିଟି ବୈଠକ ହୋଇଥିଲା । ଏହି ବୈଠକରେ ବି ମୂର୍ତ୍ତି ଉଚ୍ଚତାକୁ ନେଇ କଥା କଟାକଟି ହୋଇଥିଲା, ଶାନ୍ତି କମିଟି ବୈଠକରେ ଅଶାନ୍ତି ସୃଷ୍ଟି ହୋଇଥିଲା । ତେବେ ମୂର୍ତ୍ତି ଉଚ୍ଚତା ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଛି । ସରକାର ନିଷ୍ପତ୍ତି ନ ବଦଳାଇଲେ ପୁଣି ଥରେ ଶାନ୍ତି କମିଟି ବୈଠକ ବସିବ ବୋଲି କୁହାଯାଇଛି ।

ଏହି ପ୍ରସଙ୍ଗରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, କରୋନା ଲଢ଼େଇରେ ନିର୍ଣ୍ଣାୟକ ମୋଡରେ ପହଁଚିଛୁ । ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ସୃଷ୍ଟି ନକରି ଆପୋଷ ସମାଧାନ କରିବା ଆବଶ୍ୟକ ବୋଲି କହିଛନ୍ତି ସୌମ୍ୟରଞ୍ଜନ ।  ଅନ୍ୟପଟେ ମୂୃର୍ତ୍ତି ଉଚ୍ଚତା କଟକଣା ପ୍ରତିବାଦରେ ସୋମବାର ୧୨ ଘଣ୍ଟିଆ କଟକ ବନ୍ଦ ଡାକରା । କଟକ ମହାନଗର ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ମାଲଗୋଦାମ  ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ବିଜେପି ।  ହାଇକୋର୍ଟଙ୍କୁ ବନ୍ଦ ପାଳନରେ ସାମିଲ ହେବାକୁ ନିବେଦନ କରାଯାଇଛି । ତେବେ ଜରୁରୀକାଳିନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ବନ୍ଦ ସମୟରେ ରାସ୍ତାରୋକ କରାଯିବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ କଟକରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ୧୬ ତାରିଖ ମଧ୍ୟରେ ସରକାର ନିଷ୍ପତ୍ତି ନବଦଳାଇଲେ, ପୂଜା କମିଟି କି ପଦକ୍ଷେପ ନେବ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।